‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ : ଡ. ମହତାବଙ୍କ ଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍‌’ ଉପରେ ଆଲୋଚନା

ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟ (ଓୟୁଏଟି)ଙ୍କ ମିଳିତ ଆନୁକୂଲ୍ୟରେ ଓୟୁଏଟି ସମ୍ମିଳନୀ କକ୍ଷରେ ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହରେକୃଷ୍ଣ ମହତାବଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍‌’ ବିଷୟରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଯୁଗାନ୍ତକାରୀ ପୁସ୍ତକଗୁଡ଼ିକ ପ୍ରତି ଶ୍ରୋତା ଏବଂ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଏକ
ଅଭିନବ ପ୍ରୟାସ । ଏହି ପ୍ରୟାସ ମାଧ୍ୟମରେ ଓଡ଼ିଆ ଭାଷାରୁ ଦୂରେଇ ଯାଉଥିବା ପାଠକମାନେ ଓଡ଼ିଆ ପୁସ୍ତକର ଅନନ୍ୟ ରସ ଆସ୍ୱାଦନ କରିପାରିବେ ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସଂପର୍କରେ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଆଲୋଚକ ଭାବେ ଶ୍ରୀ ଅସିତ ମହାନ୍ତି ‘ଗାଁ ମଜଲିସ୍‌’ ପୁସ୍ତକର ପୃଷ୍ଠଭୂମିର ପ୍ରାସଙ୍ଗିକତା ଓ ଲୋକପ୍ରିୟ ଅବଦାନ ସଂପର୍କରେ କହିଥିଲେ । ଜର୍ଜ ଆରେୱଲ୍‌ଙ୍କ ୧୯୮୪ ଉପନ୍ୟାସ ଅପେକ୍ଷା ମହତାବଙ୍କ ‘ଗାଁ ମଜଲିସ୍‌’କୁ ମହତ୍ତର ବୋଲି ସେ ସୂଚାଇଥିଲେ ।
ଉତ୍ସବରେ ଡ. ଶୁଭଦା ପ୍ରଣବାକ୍ଷରା ରଥ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ । ସଭାରେ ସଭାପତିତ୍ୱ କରି ପ୍ରଫେସର ନନ୍ଦିତା ସ୍ୱାଇଁ ଓଡ଼ିଆ ଭାଷାର ପ୍ରାଚୀନ ଓ ଭବିଷ୍ୟତର ମହନୀୟତା ଉପରେ ଆଲୋକପାତ କରିବା ସହ ମାତୃଭାଷାର ଶିକ୍ଷା ହିଁ ପ୍ରକୃତ ଶିକ୍ଷା ବୋଲି କହିଥିଲେ ।
ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସଭା ପରିଚାଳନା କରିଥିବାବେଳେ ଡକ୍ଟର ଅନନ୍ୟା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ବହୁସଂଖ୍ୟାରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *