ରଘୁନାଥପୁର ପଞ୍ଚାୟତସମିତି ୫ମ ଅଧିବେଶନ। ସ୍ଵାସ୍ଥ୍ୟ ସଚେତନତା, ଓ ଶିକ୍ଷକ ସମସ୍ୟାକୁ ଗୁରୁତ୍ଵ।

ରଘୁନାଥପୁର:- ରଘୁନାଥପୁର ପଞ୍ଚାୟତସମିତିର ୫ମ ଅଧିବେଶନ ବୁଧବାର ବ୍ଲକ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ବୈଠକରେ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା ସଭାପତିତ୍ବ କରିଥିଲେ।ଏଥିରେ ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ,ଏମପି ନୋମିନି ଆଇନଜୀବି ଗଗନ ଦାଶ, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ମଲ୍ଲିକ ଓ ରୀନାରାଣୀ ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ।ବିଡିଓ ବିରଞ୍ଚି ନାରାୟଣ ବେହେରା ସଭା ପରିଚାଳନା କରିଥିବାବେଳେ ଏବିଡିଓ ଦାଇତ୍ୱରେ ଥିବା ଜିପିଓ ସ୍ମାରକ ମହାନ୍ତି ପୂର୍ବ ଅଧିବେଶନର ବିବରଣୀ ପଠନ କରିଥିଲେ।ବୈଠକ ଆରମ୍ଭ ମାତ୍ରେ ରେଢୁଆ ସରପଞ୍ଚ କିଶୋର ଚନ୍ଦ୍ର ବେହେରା ଓ ତଂଅରା ସରପଞ୍ଚ ବଟକୃଷ୍ଣ ନାୟକ ସରକାରୀ ଅନୁଦାନ ଅନୁଯାଇ ପ୍ରକଳ୍ପ ତାଲିକା ମାଗାଜାଉ ବୋଲି ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ବିଭିନ୍ନ ପଞ୍ଚାୟତରୁ ଗ୍ରାମସଭାରେ ପାସ ହୋଇ ଯାଇଥିବା ପ୍ରକଳ୍ପ ଗୁଡିକ ଜିଲ୍ଲାପାଳଙ୍କ ପାଖରୁ ଆପୃଭ ହୋଇଆସିଥିଲେ ସୁଧା ସେଥିମଧ୍ୟରୁ ହାତଗଣତି ୧/୨ ଟି ପ୍ରକଳ୍ପ ପାଇଁ ଅନୁଦାନ ଯୋଗାଇଦେବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏହାକୁ ରିଯୋଲେଶନ କରାଯାଇ ସରକାରଙ୍କୁ ଅବଗତ କରାଯାଉ ବୋଲି ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ଦାବୀ କରିଥିଲେ। ତାରପୁର ସରପଞ୍ଚ ସୁଷମା ମଲ୍ଲିକ ସୌଭାଗ୍ୟ ଯୋଜନାରେ ଜଣେ ଭିନ୍ନକ୍ଷମ କାଳନ୍ଦୀ ବାରିକଙ୍କ ଉପରେ ଏକକାଳୀନ ୫ ବର୍ଷର ବିଲ ପୈଠ କରିବା ପାଇଁ ବିଦୁତ ବିଭାଗ ପକ୍ଷରୁ ଆସିଥିବା ନୋଟିସ ନେଇ ଉଦବେଗ ପ୍ରକାଶ କରିଥିଲେ।ଏଥିରେ କାହାର ଭୁଲ ତଦନ୍ତ କରିବା ସହ ଭିନ୍ନକ୍ଷମଙ୍କ ପ୍ରତି ଅବିଚାର କରାଯାଇଛି ବୋଲି ଦୁଃଖ ପ୍ରକାଶ କରିଥିଲେ। ସେହିପରି ଏଲଆଣ୍ଡଟି କମ୍ପାନୀ ପକ୍ଷରୁ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ବିଭିନ୍ନ ଗ୍ରାମର ରାସ୍ତା ପାର୍ଶ୍ୱରେ ଖୋଳାଯିବା ଓ ସେଗୁଡିକ ମରାମତି କରାନଯିବାରୁ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହେଇଥିବା ସମ୍ପର୍କରେ ସରପଞ୍ଚ ମଲ୍ଲିକ ଅଭିଯୋଗ କରିଥିଲେ। ଗୁଆଳିପୁର ସରପଞ୍ଚ ମନଜୀନି ସାହୁ ଓ ସାଦେଇପୁର ସରପଞ୍ଚ ପ୍ରଭାସିନୀ ପ୍ରଧାନ ବ୍ଲକ ଅଞ୍ଚଳର ବିଭିନ୍ନ ସ୍କୁଲରେ ଶିକ୍ଷକ ନଥିବା ଏବଂ ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ନେଇ ଦାବୀ କରିଥିଲେ।

ଏହାଛଡା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାଇରିଆ ବ୍ୟାପୁଥିବାରୁ ପ୍ରତି ପଞ୍ଚାୟତରେ ସ୍ୱାସ୍ଥ୍ୟ ସଚେତନତା ଜରୁରୀ ହୋଇପଡିଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୂଖ୍ୟ ଡା ସୁକାନ୍ତ କୁମାର ଦଳାଇ ବୈଠକରେ ସୂଚାଇ ଦେଇଥିଲେ।ସମସ୍ତ ଜନପ୍ରତିନିଧିମାନେ ଏଥିପ୍ରତି ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ। ଏତଦ୍ବ୍ୟତୀତ ପୁର୍ବତନ ବାଚସ୍ପତି ଯୁଧିଷ୍ଟିର ଦାଶଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ବ୍ଲକ ବିଏସଏସଓ ଙ୍କ ସାଧାରଣଜନତାଙ୍କ ପ୍ରତି ଆସୋହଯୋଗ, ଭତ୍ତା, ରାସନ କାର୍ଡ, କୃଷି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ପୁର୍ବତନ ସରପଞ୍ଚ ଦିବଙ୍ଗତ ବାସନ୍ତୀ ସାହୁଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଶେଷରେ ଜିପିଓ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ଶେଷ କରିଥିଲେ। ଅପରାହ୍ନ ୪ ଟାରେ ବୈଠକ ଶେଷ ହୋଇଥିଲାବେଳେ କ୍ୟାସିଅର ଭାବେଶ କୁମାର ବେହେରାଙ୍କ ସହ ସମସ୍ତ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *