ରାମାୟଣ

ରାମାୟଣ
🖊️କବିରତ୍ନ ନୂତନ କୁମାର ବେହେରା
ରା (ର )
ରାମ ରଘୁନାଥ ଯେ ଦଶରଥ କୌଶଲ୍ୟାଙ୍କ ନନ୍ଦନ
ରାତି ପାଇଥିଲେ ହୋଇଥାନ୍ତେ ଅଯୋଧ୍ୟାର ରାଜା
ରାଣୀ କୈକେୟୀ ମାଗିଲେ ବର ମନ୍ଥରାର ମନ୍ତ୍ରଣାରେ
ରାଜା ହୋଇବ ଯେ ତାଙ୍କ ନିଜ ପୁତ୍ର ଭରତ କୁମାର
ରାଜ ଅଭିଷେକ ଛାଡ଼ି ବନବାସ ଯିବେ ଯେ ରାମ
ରାଜି ହୋଇ ସାଥେ ଗଲେ ପତ୍ନୀ ସୀତା ଭ୍ରାତା ଲକ୍ଷ୍ମଣ
ରାଗ ଅଭିମାନ ନ ଥିଲା ତିଳେ ହୃଦୟେ ତାଙ୍କର
ରାମ ପିତୃସତ୍ୟ ପାଳିବାକୁ ବନକୁ ଗଲେ ସ୍ବଇଚ୍ଛାରେ
ରହି ଘୋର ବନେ ବହୁ କଷ୍ଟେ ଚଉଦ ବର୍ଷ କାଟିଲେ
ରାକ୍ଷସ ରାବଣ ନିଧନ ପାଇଁ ଥିଲା ଏ ବିଧି ବିଧାନ।
ମା ( ମ )
ମାତା ସୀତା ଦେବୀ ଥିଲେ ପଞ୍ଚବଟୀ କୁଟୀରରେ
ମାୟା ମୃଗ ଆସି ନାଚିଲା ଆଖି ଆଗେ ଅଗଣାରେ
ମାରୀଚ ରାକ୍ଷସର ଏ ଥିଲା ଯେ ଏକ ଛଦ୍ମବେଶ
ମନକୁ ନ ଆସିଲା ପରି କାହାରି ଟିକିଏ ସନ୍ଦେହ
ମମତାର ଅନୁରାଗେ ହୋଇ ମା’ ସୀତା ଭାବପ୍ରବଣା
ମାଗିଲେ ରାମଙ୍କୁ ମୃଗ …କହିଲେ ଧରି ଆଣି ଦେବାକୁ
ମାୟାବୀ ରାବଣ ବ୍ରାହ୍ମଣର ବେଗେ ଆସି ଏଇ କାଳେ
ମାତା ସୀତାଙ୍କୁ ଯେ କରିନେଲା କୌଶଳେ ଅପହରଣ
ମାରୁତି ହନୁମାନ ଏକ ଲମ୍ଫେ ଲଙ୍ଘିଯାଇ ସାତସମୁଦ୍ର
ମାତା ସୀତା ଦେବୀଙ୍କୁ ଅଶୋକ ବନେ କଲେ ଠାବ।
ୟ ( ଅ )
ଅଶୋକ ବନରେ ନେଇ ରାବଣ ରଖିଥିଲା ମାତାଙ୍କୁ
ଅଧିର ଅସ୍ଥିର ହୋଇ କାନ୍ଦୁଥିଲେ ସେ ଅଶ୍ରୁ ଝରାଇ
ଅଯୋଧ୍ୟାର ରାଜରାଣୀ ହୋଇ ରହିଲେ ନଜର ବନ୍ଦୀ
ଅପମାନେ କ୍ରୋଧିତ ହୋଇ ରାମ ଲକ୍ଷ୍ମଣ ଦୁଇ ଭାଇ
ଅହଂକାରୀ ଦୁରାଚାରୀ ରାବଣର ଚିନ୍ତିଲେ ନିଧନ
ଅସଂଖ୍ୟ ବାନର ସେନା ସହିତ ବୀର ହନୁମାନ
ଅଙ୍ଗଦ ସୁଗ୍ରୀବ ଜାମ୍ବବାନଙ୍କୁ ନେଇ କଲେ ଯେ ସମର
ଅସୁର କୁଳ ନାଶି କଲେ ଯେ ସତୀ ସୀତାଙ୍କୁ ଉଦ୍ଧାର
ଅରି ମାରି ପ୍ରଭୁ ଶ୍ରୀରାମ ବିଭୀଷଣେ କଲେ ରାଜା
ଅରଜିଲେ ସଂସାରରେ ଯଶ ଗୌରବ ପାପୀଙ୍କୁ ଧ୍ବଂସି।
ଣ ( ନ )
ନର ବାନରଙ୍କ ମିଳିତେ କରି ଯୁଦ୍ଧ ହେଲେ ଜୟଯୁକ୍ତ
ନୟନରୁ ପୋଛିଲେ ଅଶ୍ରୁ ସତୀ ସୀତାଙ୍କୁ କରି ମୁକ୍ତ
ନର ସାଇଁ ପ୍ରଭୁ ଶ୍ରୀରାମ ଫେରିଲେ ଅଯୋଧ୍ୟାପୁରକୁ
ନ ରଖି ମନେ କାହା ପ୍ରତି କିଛି ଗ୍ଳାନି ଅବା କ୍ଳେଶ
ନମ୍ରତା ଗୁଣରେ ପ୍ରଭୁ ହୋଇ ଅଯୋଧ୍ୟାର ମହାରାଜା
ନାମକୁ କଲେ ସେ ସାର୍ଥକ ପ୍ରଜାଙ୍କୁ ପୁତ୍ର ସମ ପାଳି
ନାନା ହିତକର କାର୍ଯ୍ୟ କରି ଚଳାଇଲେ ସେ ସୁଶାସନ
ନିର୍ବାସନରେ ରହି ଦେବୀ ସୀତା ହେଲେ ତପସ୍ଵିନୀ
ନିର୍ଭୟ ନିର୍ଦ୍ଵନ୍ଦରେ ମାତା ରହିଲେ ବାଲ୍ମୀକି ଆଶ୍ରମେ
ନୀତି ଆଦର୍ଶ ରଖି ଲବ କୁଶ ଗାଇଲେ ରାମାୟଣ ଯେ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨