ସୋରଡ଼ାରେ ରଥଯାତ୍ରା; ବହୁ ଭକ୍ତଙ୍କ ସମାଗମ

ସୋରଡ଼ାରେ ରଥଯାତ୍ରା; ବହୁ ଭକ୍ତଙ୍କ ସମାଗମ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଶୁକ୍ରବାର ସବୁଠି ପାଳିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ସୋରଡା ସହରରେ ମଧ୍ୟ ଅନୁରୂପ ଭାବେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସୋରଡ଼ା ଜଗନ୍ନାଥ ମନ୍ଦିରରେ ବିରାଜମାନ ଦଧିବାମନ ପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ ଗୁରୁବାର ହୋଇଥିବା ବେଳେ ଶୁକ୍ରବାର ସକାଳ ଧୂପ,ମଙ୍ଗଳ ଆଳତୀ ଓ ଅବକାଶ ନୀତି ଆୟୋଜନ ହୋଇଥିଲା । ଏହା ପରେ ସ୍ୱତନ୍ତ୍ର ରୀତିନୀତିି ଅନୁସାରେ ରଥପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ପହଣ୍ଡି କରାଯାଇ ଠାକୁର ରଥାରୁଢ଼ ହୋଇଥିଲେ । ସୁସଜ୍ଜିତ ରଥରେ ମହାପ୍ରଭୁଙ୍କୁ ବିଜେ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବ ମୁଖର ହୋଇଉଠିଥିଲା ସୋରଡ଼ା ବଡ଼ଦାଣ୍ଡ । ଘଣ୍ଟ, ମୃଦଙ୍ଗ, କାହାଳୀ ଧ୍ବନିରେ ପ୍ରକମ୍ପିତ ହୋଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରଥଟଣା ଆରମ୍ଭ ହୋଇଥିଲା । ସୋରଡ଼ା ରାଜବଂଶ ଦାୟାଦ ଡ . ଦେବଦତ୍ତ ସିଂ ଦେଓ ଛେରା ପହଁରା ନୀତି ସମ୍ପନ୍ନ କରିଥଲେ। ତାଙ୍କ ସହ ରାଜ ପରିବାର ମଧ୍ୟ ଉପସ୍ଥିତ ଥିଲେ।ସୋରଡ଼ା ତହସିଲଦାର ତଥା ମନ୍ଦିର ପରିଚାଳନା ଟ୍ରଷ୍ଟି ମଧୁସ୍ମିତା ବେହେରା, ଆଇଆଇସି ସୁନୀଲ କୁମାର ପ୍ରଧାନ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ରଥଟଣା ସମୟରେ ବହୁ ସ୍ବେଛାସେବୀ, ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ନିୟୋଜିତ ଥିଲେ। ବହୁ ବିଳମ୍ବରେ ରଥଟଣା ହୋଇ ସମାପନ ହୋଇ ଥିବାରୁ ଭକ୍ତଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଥିଲା। ବିଳମ୍ୱିତ ରାତିରେ ଆଡ଼ପମଣ୍ଡପ ଠାରେ ପହଞ୍ଚିବା ପରେ ମାଉସୀ ମା ଘରକୁ ଠାକୁରଙ୍କୁ ନିଆଯାଇଥିଲା। ମନ୍ଦିର ପୂଜାପଣ୍ଡା, ସେବାୟତ, ଦଇତାପତି ମାନେ ଠାକୁରଙ୍କ ପୂଜା,ସେବାକାର୍ଯ୍ୟ ତୁଲାଇଥିଲେ।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *