ମାଟିକାଦୁଅ ଭର୍ତ୍ତି ରାସ୍ତା,ଯାତାୟତରେ ବାଧକ ଫ୍ଲାଏଓଭର

ଠିକାଦାରର ମନଇଚ୍ଛା ଓ ଦାୟିତ୍ୱହୀନତା କାର୍ୟ୍ୟ ଯୋଗୁଁ ସାଧାରଣ ଲୋକେ ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଖଣିଜ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲାର ଯୋଡା ସହରର ରାସ୍ତାଘାଟ ଏବେ ମରଣଯନ୍ତା ପାଲଟିଛି । ଜାତୀୟ ରାଜପଥ ୫୨୦ ନମ୍ବର ଜଙ୍କସନ ରାସ୍ତାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ନଂ – ୨ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାସ୍ତାଘାଟର ଦୁରାବସ୍ତା ଯୋଗୁଁ ଏହି ରାସ୍ତାରେ ଦୁର୍ଘଟଣା ଏକ ନିତିଦିନିଆଁ ଘଟଣାରେ ପରିଣତ ହୋଇଛି । ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟ ହେଉଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନଦେବାରୁ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ସ୍ଥାନୀୟ ଜନସାଧରଣ ମାନେ ତୁରନ୍ତ ରାସ୍ତାର ଦୁଇପାଶ୍ୱର୍ରେ ସର୍ଭିସ ରୋଡ ନିର୍ମାଣ କରି ସମ୍ପୂର୍ଣ୍ଣ କରିବା କୁ ଦାବି ଉଠାଇଛନ୍ତି । ଯୋଡା ସହର ଭିତର ଦେଇ ବିଜୁ ପଟ୍ଟନାୟକ ଏକ୍ସପ୍ରେସ-୨ କଡରେ ନିର୍ମାଣଧିନ ଫ୍ଲାଏ ଓଭର କାର୍ୟ୍ୟ ଆରମ୍ଭ ହେବା ଦିନ ଠାରୁ ଯୋଡା ସହରର ଲୋକମାନଙ୍କର ଯାତାୟତରେ ଘୋର ଦୁର୍ଦ୍ଦଶା ବଢିବାରେ ଲାଗିଛି । ବର୍ଷା ଯୋଗୁଁ ରାସ୍ତାର ଉଭୟ କଡ କାଦୁଅ ପଚ ପଚ ହୋଇ ଯାତାୟତ ଅନୁପଯୋଗୀ ହୋଇପଡିଛି । ଠାଏ ଠାଏ ବଡ ବଡ ଗର୍ତ୍ତମାନ ସୃଷ୍ଟି ହୋଇ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଏବେ ଛୋଟ ଗାଡି, ମୋଟରସାଇକେଲରେ ଯିବ ଆସିବା କରିବା ମଧ୍ୟ କାଠିକର ପାଠ ହୋଇପଡିଛି । ଏପରିକି ଏହି ରାସ୍ତରେ ପାଦଚଲା ବାଟୋଇଟିଏ ଯିବା ମଧ୍ୟ ଅସମ୍ଭବ ହୋଇପଡିଛି । ରାସ୍ତା ଉପରେ କାଦୁଅପାଣି ଲହଡି ମାରୁଥିବାବେଳେ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ସମସ୍ତ ବ୍ୟାଙ୍କ, ଡାକ୍ତରଖାନା, ଦୋକାନ ବଜାର, ଡାକଘର, ବିଦ୍ୟାଳୟ ଗୁଡିକ ଅବସ୍ଥିତ ଥିବାରୁ ଯୋଡା ଲୋକେ ଏହି ରାସ୍ତାପାଇଁ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି । ଦୈନିକ ଦୁର୍ଘଟଣା ଏ ଅଞ୍ଚଳର ଧନ ଜୀବନ କ୍ଷତି କରୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନିଘା ନଥିବା ଲୋକଙ୍କୁ ବ୍ୟଥିତ କରିଛି । ଏହି ଫ୍ଲାଏଓଭର ନିର୍ମାଣ କାର୍ୟ୍ୟ ଓଡିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନ ଲିଃ ହାତକୁ ନେଇଥିବାବେଳେ କାର୍ୟ୍ୟଟିକୁ ଗୁଜୁରାଟ ରାଜ୍ୟର ଚେଭରୋକ୍ସ ନାମକ ଠିକା ସଂସ୍ଥା ନିର୍ମାଣ କାର୍ୟ୍ୟ କରୁଥିବା ଜଣାପଡିଛି । ଏପରିକି ଡାକ୍ତରଖାନାକୁ ରୋଗୀ ସହ ରାସ୍ତା ପାଶ୍ୱର୍ବର୍ତ୍ତୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଯିବା ପାଇଁ ପାଦ ଚଲା ରାସ୍ତା ନଥିବା ଯୋଗୁଁ ଲୋକେ କାଦୁଅ ରାସ୍ତାରେ ପଶି ଯିବା ଆସିବା କରି ବହୁ ହଇରାଣର ସମ୍ମୁଖିନ ହେଉଛନ୍ତି । ତେବେ ନିୟମ ମୁତାବକ ଏହି ନିର୍ମାଣ ପୁର୍ବରୁ ଜନସାଧାରଣଙ୍କ ସ୍ୱଚ୍ଛନ୍ଦ ଯାତାୟତ ନିମନ୍ତେ ଅସ୍ଥାୟୀ ପାଶ୍ୱର୍ରାସ୍ତା ନିର୍ମାଣ କରିବାର ପ୍ରାବଧାନ ଥିବାବେଳେ ଠିକା ସଂସ୍ଥାର ମନମୁଖୀ କାର୍ୟ୍ୟ ଯୋଗୁଁ ରାସ୍ତାରେ ଯାତାୟତ ନିମନ୍ତେ ସ୍ଥାନୀୟ ଲୋକେ ଦୟନୀୟ ଅବସ୍ଥା ଭୋଗୁଛନ୍ତି ।
କେନ୍ଦୁଝର ଜିଲ୍ଲା ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ୍