ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ
ପୁରୀ ୨୭/୭ ସଡ଼କ ସୁରକ୍ଷା ଏକ ସାମୁହିକ ଦାୟିତ୍ୱ।ବିଭିନ୍ନ ବିଭାଗ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କଲେ ଏହାର ସୁଫଳ ମିଳିବା ସହ ଅନେକ ଜୀବନ ରକ୍ଷା ହୋଇ ପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ। ଗତକାଲି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ସାହୁ ସଡକ ସୁରକ୍ଷା ପାଇଁ ଥିବା ନିୟମ ଓ ମାର୍ଗଦର୍ଶିକା କୁ ଅନୁପାଳନ କରାଗଲେ ନିଶ୍ଚିତ ଭାବେ ଦୁର୍ଘଟଣା ହ୍ରାସ ପାଇବା ସହ ସଡକ ସୁରକ୍ଷିତ ରହିପାରିବ।ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗ ପାଇଁ ସେ ପରାମର୍ଶ ଦେବା ମାସିକ ଭାବେ ଅଗ୍ରଗତି ତଥ୍ୟ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସଡକ ସୁରକ୍ଷା ପାଇଁ ନିୟମିତ ଯୁଗ୍ମ ଧରପଗଡ ଜାରି ରଖିବା,ଲୋକ ମାନଙ୍କୁ ସଚେତନ କରାଇବା, ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ତଥ୍ୟ ଉପସ୍ଥାପନ କରିଥିଲେ।
ଜିଲ୍ଲାରେ ୨୦୨୧ ରେ ୧୯୭ ଟି ଦୁର୍ଘଟଣା ଘଟିଥିବା ବେଳେ ୧୨୬ ଜଣଙ୍କ ର ମୃତ୍ୟୁ ହୋଇଥିଲା।ସେହିପରି ୨୦୨୨ରେ ୧୯୭ ଟି ଦୁର୍ଘଟଣା ହୋଇ ୧୪୬ ଜଣଙ୍କ ର ମୃତ୍ୟୁ ଘଟିଥିଲା। ୨୦୨୩ ଜୁନ ମାସ ସୁଦ୍ଧା ୮୮ ଟି ଦୁର୍ଘଟଣା ହୋଇ ଥିବା ବେଳେ ୮୦ ଜଣଙ୍କ ର ମୃତ୍ୟୁ ଘଟିଛି।୨୦୨୩ ଜୁନ ମାସ ପର୍ଯ୍ୟନ୍ତ ୨୩୧୧ ବିନା ହେଲମେଟ ଯାଞ୍ଚ କରାଯାଇ ୨୬୭ ଲାଇସେନ୍ସ ସସପେଣ୍ଡ କରାଯାଇଥିବା ବେଳେ ଦ୍ରୁତ ଗତି କ୍ଷେତ୍ରରେ ୨୯୧୫ କେଶ ମଧ୍ୟରୁ ୬୬୫ ଲାଇସେନ୍ସ ସସପେଣ୍ଡ କରାଯାଇଛି।ସିଟବେଲ୍ଟ ଉଲ୍ଲଘଂନ କ୍ଷେତ୍ରରେ ୨୭୩ଜଣ,ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୧୭୧ ଜଣ,ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୨୨୫ ଜଣଙ୍କୁ ଚିହ୍ନଟ କରାଯାଇଛି।ମୋଟ ୬୬୭୯ କେଶ ମଧ୍ୟରୁ ୧୦୯୧ ଜଣଙ୍କ ଲାଇସେନ୍ସ ରଦ୍ଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଜୁନ ମାସ ରେ ମୋଟ ୭୨୦ ଚାଲାଣ କଟାଯାଇ ୩୮୩ ଫଏସଲା ହୋଇ ୨୩.୭୯.୪୫୯ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୩୩୭ ଟି ପେଣ୍ଡିଙ୍ଗ ରହିଛି ବୋଲି ପରିବହନ ବିଭାଗ ସୂତ୍ରରୁ ପ୍ରକାଶ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଟ୍ରାଫିକ ଡିଏସପି ନିରଞ୍ଜନ ଶବର,ଜାତୀୟ ରାଜପଥ ପ୍ରତିନିଧି ହିମାଦ୍ରୀ ଭୂଷଣ ପରିଡା, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ରଞ୍ଜନ କୁମାର ସାହୁ, ମହେନ୍ଦ୍ର କୁମାର ବିଶ୍ୱାଳ,ସରୋଜ କୁମାର ଆଚାର୍ଯ୍ୟ, ଅମ୍ବିକା ଚନ୍ଦ୍ର ପତି,ତନ୍ମୟ ମହାପାତ୍ର,ଓ ଅନ୍ୟାନ୍ୟ ଅଧିକାରୀ, ସଦସ୍ୟ ମାନେ ଯୋଗ ଦେଇଥିଲେ।