ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ, ସାବିତ୍ରୀ ବ୍ରତ ପାଇଁ ଲାଗିରହିଛି ଗହଳି ଚହଳି

ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ, ସାବିତ୍ରୀ ବ୍ରତ ପାଇଁ ଲାଗିରହିଛି ଗହଳି ଚହଳି
ବ୍ୟାସନଗର, ୨୬/୦୫ : ସାବିତ୍ରୀ ବ୍ରତ ପାଇଁ ଚାରିଆଡ ଚଳଚଞ୍ଚଳ l ବିଭିନ୍ନ ଦେବଦେବୀଙ୍କ ପୀଠରେ ବି ଲାଗିରହିଛି ଗହଳି ଚହଳି l ସାବିତ୍ରୀ ବ୍ରତ ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା l ସଧବା ନାରୀ ମାନେ ପତିଙ୍କ କଲ୍ୟାଣ ଓ ଦୀର୍ଘଜୀବନ କାମନା କରି ସାବିତ୍ରୀ ବ୍ରତ ପାଳିଥାଆନ୍ତି l ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ ତେଣୁ ଗୋଟିଏ ସ୍ଥାନରେ ମହିଳା ମାନେ ସାମୁହିକ ଭାବେ ପାଳିଛନ୍ତି ବ୍ରତ l ଲକ୍ଷ୍ମୀନାରାୟଣ ନିକଟରେ ନୂଆ ଶାଢ଼ୀ ସହିତ ଶଙ୍ଖା ସିନ୍ଦୂର, ଅଳତା, କୁଙ୍କୁମ, ଆଇନା, ପାନିଆ ଆଦି ସଧବା ନାରୀର ପ୍ରସାଧନ ସାମଗ୍ରୀର ପୂଜା କରିଥାନ୍ତି l ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ l ପୁରୋହିତ ପୂଜା କରନ୍ତି, ମହିଳା ମାନେ ବ୍ରତ ପୂଜା କରି ବାହୁରେ ବାନ୍ଧି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତି l ପ୍ରତିବର୍ଷ ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ l ଶେଷରେ ପୂଜା ସରିବା ପରେ ବ୍ରତ ସମାପନ କରି ଅପରାହ୍ଣରେ ପୂଜା ଶେଷ ହେଲେ ସାଗୁ, ମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳାହାର କରନ୍ତି l