ସାଧବ ବୋହୂ

ସାଧବ ବୋହୂ
ସାଧବ ବୋହୂ ଲୋ ସାଧବ ବୋହୂ
ତୋ ଚାଲି ଦେଖିଲେ ଅଟକି ରହୁ |
ତୋ ପରି ସୁନ୍ଦରୀ କେ ହେବ ଆଉ
ବରଷା ଆସିଲେ ତୁ ଦେଖା ଦେଉ ।
କେଉଁଠି ତୁଥାଉ କୁଆଡ଼େ ଯାଉ
ତୋ ଘର ଠିକଣା କେହି ନ ପାଉ ।
ନାଲି ଟୁକୁ ଟୁକୁ ସୁନ୍ଦର ରୂପ
ଧନ୍ୟ ଅଟଇ ତୋର ମାଆ ବାପ l
ଗଣିତ ହିସାବ ତୁ ଜାଣି ଥାଉ
ବରଷେ ପୂରିଲେ ତୁ ଦେଖା ଦେଉ ।
ବରଷା ସାଥିରେ ଭଲ ତୋ ଭାବ
ଦେଖିଲେ ସେ ତୋତେ ବରଷୁ ଥିବ ।
ତୋ ଚାଲିବା ପାଇଁ ବରଷା ରାଣୀ
ଘାସ ଗାଲିଚାକୁ ଦେଇଛି ବୁଣି ।
ପଡିଆରେ ତୁହି ଗଲେ ଲୋ ଚାଲି
ଦେଖିଛି ଯେ ଥରେ ନପାରେ ଭୁଲି ।
ଯାଉଥିଲେ ଚାଲି ଘାସ ଉପର
ଧରଣୀ ଦିଶଇ କେଡେ ସୁନ୍ଦର ।
ତୁଆସିଲେ ନର ପାଏ ସେ ସୁଖ
ବର୍ଷା ଆଣି ଦେଇ ହଟାଉ ଦୁଃଖ ।
ଥରେ ନୁହେଁ ସବୁବେଳେ ଆସୁଥା
ସବୁରି ମନରେ ସୁଖ ଦେଉଥା ।
ଦୀନବନ୍ଧୁ ପୋଇ
ଗୋରଡା ପାଳ, କରମୂଳ
ଢେଙ୍କାନାଳ ,