ରାଜ୍ୟ ସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ

ପୁରୀ ର ସ୍ଥାନୀୟ ହୋଟେଲ ସାଗର ତରଙ୍ଗ ଠାରେ ଆଜି ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନ ଏଡ ର ମିଳିତ ସହଯୋଗରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ସଖୀ – ସହେଲୀ ସମ୍ମିଳନୀଉଦଯାପିତ ହୋଇଛି । ଏହି ରାଜ୍ୟ ସ୍ତରୀୟ ସମ୍ମିଳନୀର ଉଦଘାଟନୀ ପର୍ଯ୍ୟାୟରେ ୟୁନିସେଫ ଓଡିଶାର ମୁଖ୍ୟ ଶ୍ରୀ ୱିଲ୍ଲିୟମ ଜେ ହାନଲୋନ ଯୋଗଦେଇ ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନଏଡର ମିଳିତ ଉଦ୍ୟମରେ ଚାଲିଥିବା ଅଦ୍ଵିକା କାର୍ଯ୍ୟକ୍ରମରେ ଭାଗନେଇଥିବା କିଶୋରୀ ମାନଙ୍କର ନେତୃତ୍ଵ ବିକାଶର ଏହି ସମ୍ମିଳନୀ ଏକ ବଳିଷ୍ଠ ଉଦ୍ୟମ ବୋଲି କହିଥିଲେ । ଏହି ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଅନେକ କିଶୋରୀ ନିଜର ବାଲ୍ୟ ବିବାହକୁ ନା କହିବା ସହ, ନିଜେ ନିଜ ଗୋଡରେ ଠିଆ ହେବା ପାଇଁ ଆଗକୁ ଆସିବା ସହିତ, ସମାଜର ପରିବର୍ତ୍ତନରେ ଏହି କିଶୋରୀମାନେ ଜଣେ ଜଣେ ଚାମ୍ପିୟନର ଭୂମିକା ନେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।ଅନ୍ୟତମ ଅତିଥି ଭାବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ବିଭାଗର ଅନୁସଚିବ ଶ୍ରୀ ଆଶୁତୋଷ ବେହେରା ନିଜର ବକ୍ତବ୍ୟରେ କିଶୋରୀ ସଶକ୍ତିକରଣ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ନିଆଯାଇଥିବା ଅଦ୍ଵିକା କାର୍ଯ୍ୟକ୍ରମର ସଫଳତା ଦେଖି ଖୁସି ବ୍ୟକ୍ତ କରିବା ସହିତ ସମ୍ମିଳନୀରେ ଭାଗ ନେଇଥିବା ୫୦ ଜଣ ସାହସୀ କିଶୋରୀ ମାଙ୍କର ସାମାଜିକ ପରିବର୍ତ୍ତନଯୋଗଦାନକୁ ସାଧୁବାଦ ଜଣାଇବା ସହିତ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତ କାର୍ଯ୍ୟଖସଡା ଅନୁସାରେ ଆଗାମୀ ୨୦୩୦ ମସିହା ବେଳକୁ ଓଡିଶା ରାଜ୍ୟ ଏକ ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବ ବୋଲି ମତବ୍ୟକ୍ତ କରିଥିଲେ । ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ସସ୍ମିତା ନନ୍ଦ ଯୋଗଦେଇ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଶିଶୁ ମାନଙ୍କ ଅଧିକାରର ସୁରକ୍ଷା ପାଇଁ ସବୁବେଳେ ଯତ୍ନବାନ ବୋଲି କହିଥିଲେ । ପରେ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କିଶୋରୀ ବାଳିକା ମାନେ ନିଜ ନିଜ ଜୀବନରେ ଅଦ୍ଵିକା କାର୍ଯ୍ୟ କ୍ରମରେ କିପରି ପ୍ରଭାବିତ ହୋଇ ଜୀବନର ସଫଳତା ପାଇପାରିଛନ୍ତି ସେ ଉପରେ ଆଲୋକ ପାତ କରିଥିଲେ। ଦ୍ଵିତୀୟ ଦିନର ଅଧିବେସନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ରଥ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକା ରାକ୍ଷୀ ଘୋଷ ଓ ରେଡିଓ ନମସ୍କାରର ମୁଖ୍ୟ ଶ୍ରୀ ନସିମ ଶାହା ଅନସାରି ପ୍ରମୁଖ ଯୋଗ ଦେଇ ସରକାରଙ୍କ ତରଫରୁ କିଶୋରୀ ମାନଙ୍କ ସଶକ୍ତିକରଣ ପାଇଁ ନିଆଯାଇଥିବା ବିଭିନ୍ନ ଯୋଜନା ଓ ସୁଯୋଗ ବିଷୟରେ ଆଲୋକପାତ କରିଥିଲେ । ଶିଶୁ ମାନଙ୍କ ପାଇଁ ପ୍ରଶାସନ ରହିଛି ଏହି ଭାବନା ପ୍ରତ୍ୟେକ ଲୋକ ଓ ଶିଶୁ ପାଖରେ ପହଞ୍ଚିବା ଆବଶ୍ୟକ ଫଳରେ ଅନ୍ୟମାନେ ସାହସ କରି ଆଗକୁ ଆସିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।ଗଣମାଧ୍ୟମ ମଧ୍ୟ ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ନିମନ୍ତେ ଅନେକ ଗୁରୁତ୍ବପୂର୍ଣ ଭୂମିକା ତୁଲାଇ ଆସିଛନ୍ତି ମତ ପ୍ରକାଶ ପାଇଥିଲା।
ପ୍ରାରମ୍ଭରେ ଆକ୍ସନଏଡର ସହକାରୀ ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ପାତ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଗାମୀ ଦିନରେ ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନ ଏଡର ମିଳିତ ପ୍ରୟାସରେ ଚାଲିଥିବା ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆକ୍ସନଏଡର ଜାତୀୟ ଶିଶୁ ଅଧିକାର କାର୍ଯ୍ୟକ୍ରମର ମୁଖ୍ୟ ଶ୍ରୀ ଘାସିରାମ ପଣ୍ଡାଙ୍କ ସଂଯୋଜନାରେ ରାଜ୍ୟର ୨୫ଟି ଜିଲ୍ଲାରୁ ଶତାଧିକ ସଖୀ ସହେଲିମାନେ ଏହି ସମ୍ମିଳନୀରେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ବାଲ୍ୟ ବିବାହକୁ ନା ବିଦ୍ୟାଳୟକୁ ହଁ ଅଭିଯାନର ସଫଳତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ ଓଡିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ଶ୍ରୀ ମାନା ଦେ, ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଧିକାରୀ ଶୃତିପ୍ରସାଦ ପ୍ରମୁଖଓଡିଶାକୁ ବାଲ୍ୟ ବିବାହ ମୁକ୍ତ କରିବା ଓ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ । ପ୍ରାରମ୍ଭରେ ରାଜ୍ୟର ଅଦ୍ଵିକା କାର୍ଯ୍ୟକ୍ରମରେ ଭାଗ ନେଇଥିବା ସଫଳ ସଖୀ ସାହେଲୀ ମାନଙ୍କର ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ପୁସ୍ତକକୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯିବା ସହିତ ଶ୍ରେଷ୍ଠ ୫୦ ଜଣ ସଖୀ ସହେଲୀ ମାନଙ୍କୁ ପ୍ରସଂଶା ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରଯାଇଥିଲା ।
