ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ ମଇ ୨୧ ରେ

ପୁରୀ ୨୮/୪ – ୧୯୩୦ ମସିହା ମଇ ମାସ ୨୧ ତାରିଖ ଅସ୍ତରଙ୍ଗ ବ୍ଲକ କୁହୁଡି ପାଇଁ ଲବଣ ସତ୍ୟାଗ୍ରହ ର ଏକ ପ୍ରମୁଖ ଦିନ। ଏଠାରେ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ନେତୃତ୍ବରେ ଲବଣ ଆଇନ ଭଙ୍ଗ କରି ସତ୍ୟାଗ୍ରହୀ ମାନେ କାରାବରଣ କରିଥିଲେ। ଏହି ସ୍ମୃତି କୁ ସ୍ମରଣ କରି ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି କୁହୁଡି ଠାରେ ପ୍ରତି ବର୍ଷ ସ୍ମାରକୀ ଦିବସ ପାଳନ କରିଥାନ୍ତି।ଚଳିତ ବର୍ଷ ମଇ ମାସ ୨୧ ତାରିଖରେ ୯୩ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ କୁହୁଡି ଠାରେ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହି ଐତିହାସିକ ଦିବସ କୁ ଶୃଙ୍ଖଳିତ ଭାବେ ପାଳନ ସହ ଏହାର ଗାରିମା କୁ ପର ପିଢ଼ି କୁ ଅବଗତ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟ ସୂଚୀ ସମ୍ପର୍କରେ ଅବଗତ କରାଇଥିଲେ।ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର କାର୍ଯ୍ୟକାରୀ ଅଧ୍ୟଷ ଅମୀୟ କୁମାର ପଟ୍ଟନାୟକ ବିଗତ ବର୍ଷ ମାନଙ୍କର ବ୍ୟବସ୍ଥା ଓ ଚଳିତ ସମାରୋହ ସମ୍ପର୍କରେ ଆଲୋକପାତ କରିଥିଲେ।ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ମଇ ୨୧ ତାରିଖ ପ୍ରତ୍ୟୁଷରୁ ରାମଧୂନ ପରିବେଷଣ ହେବ। ପରେ ବ୍ଲକ ପରିସର ଓ କୁହୁଡି ସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବ୍ଲକ ଠାରୁ କୁହୁଡି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ।କୁହୁଡି ଠାରେ ଜାତୀୟ ପତାକା ଉତ୍ତୋଳନ ପରେ ଲବଣ ସତ୍ୟାଗ୍ରହ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।ସଂଗ୍ରାମୀ ଦାୟାଦ ଭାବେ ରାଧି ବେୱ। ଙ୍କ ନାତୁଣୀ ବୋହୁ କନକଲତା ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯିବ।ପୂର୍ବରୁ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ।ଓଡିଆ ବକ୍ତୃତା ର ବିଷୟ ଲବଣ ସତ୍ୟାଗ୍ରହ ଓ ମଧୁସୂଦନ, ଓଡ଼ିଆ ପ୍ରବନ୍ଧ ର ବିଷୟ ଲବଣ ସତ୍ୟାଗ୍ରହ ରେ କୁହୁଡି ର ଭୂମିକା ଓ ଚିତ୍ରାଙ୍କନ ର ବିଷୟ ଲବଣ ସତ୍ୟାଗ୍ରହ କୁହୁଡି ରଖାଯାଇଛି।ଅସ୍ତରଙ୍ଗ ବ୍ଲକ ଶିକ୍ଷା ଅଧିକାରୀ ପ୍ରତିଯୋଗିତାର ସ୍ଥାନ , ତାରିଖ ଓ ସମୟ ସମ୍ପର୍କରେ ବିଦ୍ୟାଳୟ ମାନଙ୍କୁ ସୂଚିତ କରିବେ ବୋଲି ସ୍ଥିର ହେଲା।ପ୍ରତିମୂର୍ତ୍ତି ସ୍ଥଳ ପରିଷ୍କାର ପରିଛନ୍ନ କରିବା ସହ ରଙ୍ଗ ଦେବା ଓ ବ୍ଲିଚିଂ ସିଞ୍ଚନ କରିବା,ଆଲୋଚନା ଚକ୍ର ସ୍ଥାନ ପରିଷ୍କାର ରଖିବା,ପାନୀୟ ଜଳ ବ୍ୟବସ୍ଥା କରିବା,କୁହୁଡି ପ୍ରବେଶ ପଥରେ ତୋରଣ ବ୍ୟବସ୍ଥା କରିବା,ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ଇତ୍ୟାଦି କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ବୈଠକରେଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ, ସମିତି ସଂଯୋଜକ କାଳନ୍ଦୀ ଚରଣ ଛାଟୋଇ, ସଦସ୍ୟ ସତ୍ୟବ୍ରତ ଲେଙ୍କା, ଆଭାସୀ ମାଧ୍ୟମରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ, ତହସିଲଦାର ରାଜଲକ୍ଷ୍ମୀ ନାୟକ, ବିଡ଼ିଓ ବେବିତା ମଞ୍ଜରୀ ନାୟକ, ଆଇଆଇସି ପଞ୍ଚାନନ ପରିଡା, ବ୍ଲକ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *