ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଜଟଣୀ : ଜଟଣୀ ପୌର ପରିଷଦ ଅନ୍ତର୍ଗତ ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇ ଆଇ ଟି , ଭୁବନେଶ୍ୱରର ସହକାରୀ ପ୍ରଫେସର ଡକ୍ଟର ସମ୍ବିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାର ଶୁଭ ଉଦଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ କି ଏଭଳି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିବା ସେମାନଙ୍କ ପାଇଁ ସୌଭାଗ୍ୟର ବିଷୟ । ଛାତ୍ର ଛାତ୍ରୀମାନେ ସବୁବେଳେ ପ୍ରଶ୍ନ ପଚାରିବାକୁ ଇଚ୍ଛୁକ ଥିବା ଦରକାର । ଏହି ମେଳାରେ ବିଦ୍ୟାଳୟର ୨୮୫ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ପକଳ୍ପ ପ୍ରଦର୍ଶନ କରିଥଲ । ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମାନସ ରଞ୍ଜନ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ମିନୀ ମହାନ୍ତି ବିବରଣୀ ପାଠ କରିଥିଲେ । ଉଦଯାପନ ଉତ୍ସବରେ ଶିକ୍ଷାବିତ୍ ତଥା ସମାଜସେବୀ ଶ୍ରୀ ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ, ଅଭିଭାବକ ଓ ଗୁରମା ଗୁରୁଜୀଙ୍କ ଆନ୍ତରିକ ସହଯୋଗର ଉଚ୍ଚ ପ୍ରଶଂସା କରିଥିଲେ ।ପ୍ରଦର୍ଶିତ ଗଣିତ ପ୍ରକଳ୍ପ, ପତ୍ରବାଚନ, ଲୋକକଳା, ନିବନ୍ଧ ଗୁଡ଼ିକ ଅଭିଜ୍ଞ ବିଜ୍ଞାନ ଶିକ୍ଷକ ଓ ବିଶେଷଜ୍ଞମାନଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ଉପ ସଭାପତି ଶ୍ରୀ ସରୋଜ କୁମାର ବଳିଆରସିଂହ ପୁରସ୍କାର ବିତରଣ ଉତ୍ସବରେ ମଞ୍ଚାସିନ ଥିବାବେଳେ ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରୀତମ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିଲା ।