ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଗଞ୍ଜାମ:-୦୨/୦୯- ଦୁଇବର୍ଷର କୋଭିଡ୍ କଟକଣା ଯୋଗୁଁ ସ୍ୱାୟତ୍ତ ଶାସନ ଦିବସ ବନ୍ଦ ରହିଥିବା ବେଳେ ଏହିବର୍ଷ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଖୁବ୍ ଆଡମ୍ବର ସହ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ତତ୍ବାବଧାନରେ କାର୍ଯ୍ୟାଳୟ ପରିସରରେ ପ୍ରଭାତରୁ ରାମଧୁନ ଗାନ କରିଥିବା ବେଳେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତା’ପରେ ବସଷ୍ଟାଣ୍ଡରେ ବରପୁତ୍ର ବିଜୁ ପଟ୍ଟନାୟକ ଏବଂ ପୋଲସରା ଛକରେ ମଦନମୋହନ ପାଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ଏଥି ସହିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ମନ୍ଦିରକୁ ଯାଇ ସେଠାରେ ଥିବା ଦୀନ ଦରିଦ୍ର ଓ ଅସହାୟଙ୍କୁ ଶାଢୀ ଲୁଗା ଓ ଅର୍ଥ ଦାନ କରିଥିଲେ । ଏହି ଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାସ,ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢୀ,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କେ. ନୀଳମାଧବ ଆଚାରୀ ଏବଂ ପରିଷଦର ସମସ୍ତ କାଉନସିଲର ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ତା’ପରେ ସାନ୍ଧ୍ୟ ତଥା ଦ୍ୱିତୀୟ ଅଧିବେଶନରେ ସହରର ମଧ୍ୟଭାଗ ବଡଦାଣ୍ଡରେ ଏକ ସଭାର ଆୟୋଜନ ହୋଇଥିଲା । ସେଥିରେ ମୂଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ସଭାପତିତ୍ବ କରିଥିଲେ । ଉପାଧ୍ୟକ୍ଷ ଗୀତାଞ୍ଜଳି ପାଢୀ,କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାସ,ତହସିଲଦାର ସଂଗ୍ରାମ କେଶରୀ ଜେନା,ଥାନାଧିକାରୀ ଚିତ୍ତରଞ୍ଜନ ବେହେରା,ବନାଧିକାରୀ ପ୍ରଶାନ୍ତ କୁମାର ମିଶ୍ର,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କେ ନିଳମାଧବ ଆଚାରୀ,ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ସମସ୍ତ କାଉନସିଲର ଏବଂ ବୁଦ୍ଧିଜୀବୀ ମାନେ ମଞ୍ଚାସୀନ ହୋଇଥିଲେ । ଶ୍ରୀଯୁକ୍ତ ମନ୍ତ୍ରୀ ମନ୍ତବ୍ୟ ଛଳରେ ପ୍ରକାଶ କରିଛନ୍ତି ଯେ ଆମର ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନାକୁ ତ୍ୱରାନ୍ୱିତ କରି ବୁଗୁଡ଼ା ସହରକୁ ଏକ ସ୍ଵତନ୍ତ୍ର ସହର ଭାବେ ପରିଗଣିତ କରିବା । ଏଅବସରରେ ସ୍ଥାନୀୟ ଶିକ୍ଷାବିତ୍ ବରିଷ୍ଠ ନାଗରିକ କଳାକାର ଏବଂ ସମାଜସେବୀଙ୍କୁ ଶ୍ରୀଯୁକ୍ତ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ପରିଷଦ ପକ୍ଷରୁ ପୂର୍ବରୁ ହୋଇଥିବା ବକୃତା,ନୃତ୍ୟ ଓ କଣ୍ଠସଙ୍ଗୀତରେ ଅଂଶଗ୍ରହଣ କରି ଯେଉଁମାନେ ସଫଳତା ହାସଲ କରିଥିଲେ ସେହି ଶିଶୁ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବୁଗୁଡ଼ା ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ସନ୍ଧ୍ୟା ସମୟରେ ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ପରିଷଦର ସମସ୍ତ କର୍ମଚାରୀମାନେ ସୁପରିଚାଳନା କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ହୋଇଥିଲା ।

ରିପୋର୍ଟ- ତ୍ରିଲୋଚନ ପଣ୍ଡା, ବୁଗୁଡ଼ା, ଗଞ୍ଜାମ ।

Leave a Reply

Your email address will not be published. Required fields are marked *