ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ

ରୋଟାରୀ କ୍ଳବ ର ଅଧିଷ୍ଠାନ ଉତ୍ସବ।

ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୪ ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ଯ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ୨୦୨୨-୨୩ ବର୍ଷରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଥିବା ବିଦାୟୀ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କୁ ସାଧୁବାଦ ଜଣାଇବା ସହିତ ୨୦୨୩-୨୪ ବର୍ଷ ପାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ଅବଦୁଲ ଆରିଫ୍ ଖାଁନ୍ ଓ ସଂପାଦକ ଶ୍ରୀଧର ସାହୁଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ଯତମ ସମ୍ମାନିତ ଅତିଥି ଭାବେ ଆସିସ୍ଟାଣ୍ଡ ଗଭର୍ଣ୍ଣର ରୋଟାରିଆନ ଆୟୁଷ୍ ଜସୋରିଆ ଯୋଗଦେଇ ରୋଟାରୀ କ୍ଳବ ର ବିଶେଷତା ବିଷୟରେ ଆଲୋଚନା କରିଥିଲେ। ବିଗତ ୨୦୨୨-୨୩ ବର୍ଷର ବାର୍ଷିକ ବିବରଣୀ ସଂପାଦକ ବାସୁଦେବ ସାହୁ ପାଠ କରିଥିବା ବେଳେ ୨୦୨୩-୨୪ ବର୍ଷର ସଂପାଦକ ଚଳିତ ବର୍ଷ ପାଇଁ କଣ କଣ କାର୍ଯ୍ୟକ୍ରମ କରାଯିବ ସେ ବିଷୟରେ ତାଙ୍କ ଟିମ୍ ର ଲକ୍ଷ୍ଯ ଓ ଆଭିମୁଖ୍ୟ ବିଷୟ ରେ ବକ୍ତବ୍ଯ ରଖି ପ୍ରଚୁର ଗଛ ଲଗାଇବା ସହିତ ରକ୍ତଦାନ ଶିବିର,ମେଗା ସ୍ବାସ୍ଥ୍ଯ ଶିବିର ଆଦି ବହୁ ସମାଜ କଲ୍ୟାଣ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର ହୋଇଥିବା ବିଷୟରେ ଜଣାଇ ସମସ୍ତଙ୍କ ସହଯୋଗ ଭିକ୍ଷା କରିଥିଲେ।ଏହି ଅବସରରେ ବେଷ୍ଟ ରୋଟାରିଆନ ଭାବେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କୁ ମୁଖ୍ଯ ଅତିଥି ସମ୍ମାନିତ କରିଥିଲେ। ନୂତନ ସଦସ୍ଯ ଭାବେ ଯୋଗଦେଇ ଥିବା ରୋଟାରିଆନ ଅବିନାଶ ସାହୁଙ୍କୁ ମୁଖ୍ଯ ଅତିଥି ଲାପେଲ୍ ପିନ୍ ପିନ୍ଧାଇ ଅଭିନନ୍ଦନ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ ତରଫରୁ ଦୁଇ ଜଣ ଗରିବ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସିଲେଇ ମେସିନ୍ ଓ ଗ୍ରାଇଣ୍ଡର ପ୍ରଦାନ କରାଯାଇଥିଲା।ବଡି ପକାଇ ପରିବାର ପ୍ରତିପୋଷଣ କରିବା ପାଇଁ ବାସନ୍ତି ସେନାପତି ଙ୍କୁ ଗୋଟିଏ ଗ୍ରାଇଣ୍ଡର ପ୍ରଦାନ କରାଯାଇଥିବା ବେଳେ କପଡା ସିଲେଇ କରି ଦୁଇ ପଇସା ରୋଜଗାର କରିବା ପାଇଁ ଦ୍ରୌପଦୀ ଛୋଟରାୟ ଙ୍କୁ ଗୋଟିଏ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା। ଏହି ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ସହିତ ପୂର୍ବତନ ସଭାପତି ,ସଂପାଦକ ଓ ଅଧିଷ୍ଠାନ ହୋଇଥିବା ନୂତନ ସଭାପତି, ସଂପାଦକ ମଞ୍ଚାସୀନ ଥିଲେ। ପରିଶେଷରେ ରୋଟାରିଆନ ଦିଲ୍ଲୀପ କୁମାର ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ।।

Leave a Reply

Your email address will not be published. Required fields are marked *