କେ.ଏଲ, ରାହୁଲଙ୍କୁ ଝଟ୍‌କା, ଗ୍ରେଡେଶନ ହ୍ରାସ ଯୋଗୁ କମିଲା ପାରିଶ୍ରମିକ, ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ଲାଭ

କୋଲକାତା,୨୭।୩ : କେ.ଏଲ ରାହୁଲଙ୍କ ସମସ୍ୟା କମିବାର ନା ଧରୁନି। ବିସିସିଆଇର ବାର୍ଷିକ ଚୁକ୍ତି ଯୋଗୁ ଏହି ଓପନରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ବୋର୍ଡ କେ.ଏଲ. ରାହୁଲଙ୍କୁ ଏ ଗ୍ରେଡରୁ ହଟାଇ ତାଙ୍କୁ ବି ଗ୍ରେଡରେ ରଖିଛି। ଅକ୍ଟୋବର ୨୦୨୧ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ତାଙ୍କୁ ଗ୍ରେଡ ଏ ରେ ରଖାଯାଇଥିଲା। ଖେଳାଳିଙ୍କ ବାର୍ଷିକ ଚୁକ୍ତି ପାଇଁ ବିସିସିଆଇ ୪ ଟି ଭିନ୍ନ ଗ୍ରେଡ ସ୍ଥିର କରିଛି। ଏଥିରେ ଏ ପ୍ଲସ ଗ୍ରେଡ ଥିବା ଖେଳାଳୀମାନଙ୍କୁ ପ୍ରତିବର୍ଷ ୭ କୋଟି, ଏ ଗ୍ରେଡ ପାଇଁ ୫ କୋଟି, ବି ଗ୍ରେଡ ପାଇଁ ୩ କୋଟି ଏବଂ ସି ଗ୍ରେଡ ଖେଳାଳିଙ୍କ ପାଇଁ ଏକ କୋଟି ଟଙ୍କା ଦିଆଯାଇଥାଏ ।

ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ କେ.ଏଲ ରାହୁଲ ଟିମ ଇଣ୍ଡିଆର ଉପ-ଅଧିନାୟକ ଥିଲେ। ସିରିଜର ପ୍ରଥମ ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ବିସିସିଆଇ ତାଙ୍କଠାରୁ ଏହି ଦାୟିତ୍ୱ ଛଡ଼ାଇ ନେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ କେ.ଏଲ ରାହୁଲ ମଧ୍ୟ ଖେଳୁଥିବା ଏକାଦଶରୁ ଓହରି ଯାଇଥିଲେ। ଗତ ସିଜନରେ ଓପନର୍‌ ବୋର୍ଡରୁ ୫ କୋଟି ଟଙ୍କା ପାଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ମାତ୍ର ୩ କୋଟି ଟଙ୍କା ଦିଆଯିବ।

ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ୨୦ ରନ କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୧୭ ଏବଂ ୧ ରନ ସ୍କୋର କରିବା ପରେ ପାଭିିଲିୟନ ଫେରିଥିଲେ। ଗତ ୧୦ ଟେଷ୍ଟ ଇନିଂସରେ ଥରେ ମଧ୍ୟ କେଏଲ ରାହୁଲ ୨୩ ରୁ ଅଧିକ ରନ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ବାଂଲାଦେଶ ଗସ୍ତରେ ଟିମ ଇଣ୍ଡିଆର ଅଧିନାୟକ କେ.ଏଲ ରାହୁଲଙ୍କୁ ଖରାପ ଫର୍ମ କାରଣରୁ ଟି -୨୦ ଏବଂ ଏକଦିବସୀୟ ପରେ ଟେଷ୍ଟ ଦଳରେ ଉପ-ଅଧିନାୟକ ପଦ ହରାଇବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *