ରାଜ୍ୟ ବିଦ୍ୟାଳୟ ସମୂହ ବାଳକ ବାଳିକା ଜିମ୍ନାଷ୍ଟିକ୍, କୁସ୍ତି ଓ ମୁଷ୍ଟି ଯୁଦ୍ଧ ପ୍ରତିଯୋଗିତା ଉଦଘାଟିତ

ଆଜି ପୁରୀ ଜିଲ୍ଲା ସ୍କୁଲ୍ ଠାରେ ରାଜ୍ୟ ବିଦ୍ୟାଳୟ ସମୂହ ବାଳକ ବାଳିକା ଜିମ୍ନାଷ୍ଟିକ୍, କୁସ୍ତି ଓ ମୁଷ୍ଟି ଯୁଦ୍ଧ ପ୍ରତିଯୋଗିତା ର ଉଦ୍ଘାଟନ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦୦ ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପୁରୀର ମାନ୍ୟବର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରୀଡା କ୍ଷେତ୍ରରେ ବିପୁଳ ସଫଳତା ହାସଲ କରି ଜିଲ୍ଲା, ରାଜ୍ୟ ଓ ଦେଶର ସମ୍ମାନ ରକ୍ଷା କରିବାପାଇଁ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ଓ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ । ସଭାପତି ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଡଃ ବିଶ୍ୱଜିତ୍ ଘୋଷ୍ ଖେଳର ଉପାଦେୟତା ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଖେଳାଳି ମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଶଙ୍କର ବେହେରା ଯୋଗଦେଇ ନିଜର ଓଜସ୍ବୀ ବକ୍ତୃତା ଓ କ୍ରୀଡା ଅଭିଜ୍ଞତା ମାଧ୍ୟମରେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ପୁରୀ ଜିଲ୍ଲା ସ୍କୁଲ୍ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ମିଶ୍ର ଓ ଭାର୍ଗବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ଦ୍ଵାରା ଖେଳୁଆଡ ମନୋବୃତ୍ତି ବୃଦ୍ଧିପାଇଁ ପ୍ରେରଣା ପ୍ରଦାନ କରିଥିଲେ । ଓଡ଼ିଶା ବିଦ୍ୟାଳୟ କ୍ରୀଡା ବିଭାଗର ଅତିରିକ୍ତ କ୍ରୀଡା ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଭିନ୍ନ ନିୟମ ଓ କୈ।ଶଳ ସମ୍ପର୍କରେ ପ୍ରେରଣା ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ସମ୍ପାଦିତ ହୋଇଥିଲା।ଏହି ପ୍ରତିଯୋଗିତା ଦୀର୍ଘ ତିନିଦିନ ଧରି ଚାଲିବ ।ପୁରୀ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡାଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ଏହି ତିନି ଗୋଟି କ୍ରୀଡା ପ୍ରତିଯୋଗିତାକୁ ସଂଯୋଜନା କରିବା ସହ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିକ୍ଷକ ବିଦ୍ୟାଧର ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।