ବ୍ଲକ୍ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ମୟୂରଭଞ୍ଜ ଜିଲାର ଉଦଳା ଠାରେ ଶୁକ୍ରବାର ଦିନ ବ୍ଲକ୍ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ଠାରେ ସହକାରୀ ଶ୍ରମ ଅଧିକାରୀ, ଉଦଳା, ଶ୍ରୀମତୀ କୁମୁଦିନୀ କବିତା ହେମ୍ବ୍ରମଙ୍କ ଆବାହକତାରେ ଏବଂ ସମସ୍ତ ବ୍ଲକ ସ୍ତରୀୟ ଶ୍ରମ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କ ସହଯୋଗରେ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶ୍ରମ ଅଧିକାରୀ, ମୟୂରଭଞ୍ଜ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ପ୍ରଭାଗୀୟ ଶ୍ରମ ଅଧିକାରୀ, ମୟୂରଭଞ୍ଜ, ତାଙ୍କ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ତଥା ମାନ୍ୟବର ଅଧ୍ୟକ୍ଷା ଜିଲ୍ଲା ପରିଷଦ ମୟୂରଭଞ୍ଜ, ଶ୍ରୀମତୀ ଭାରତୀ ହାଁସଦା ମହୋଦୟା ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ସେ ନିଜ ବକ୍ତବ୍ୟରେ ନାରୀ ଶ୍ରମ ଏବଂ ଶ୍ରମିକର ଅଧିକାର ବିଷୟରେ ଆଲୋକପାତ କରିଥିଲେ ତତ୍ସହିତ ଶ୍ରମିକ ମାନଙ୍କ କାର୍ଯ୍ୟଦକ୍ଷତା ବଢାଇବା ଉଦ୍ଦେଶ୍ୟରେ ସରକାରଙ୍କ ପ୍ରଦତ୍ତ ସହାୟତାକୁ ଉପଯୋଗ କରିବାକୁ କହିଥିଲେ। ଏହି ଶିବିରର ମୁଖ୍ୟ ଅତିଥି ତଥା ମାନ୍ୟବର ବିଧାୟକ, ଉଦଳା, ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ କହିଥିଲେଯେ ସମସ୍ତ ସରକାରୀ ଯୋଜନାକୁ ଶ୍ରମିକ ମାନଙ୍କ ପର୍ଯ୍ୟନ୍ତ ପହଂଚାଇବା ଏବଂ ସେଥିରୁ ସେମାନଙ୍କୁ ଲାଭବାନ କରାଇବା ଉଚିତ ତେଣୁ ଏହି ସହାୟତା ରାଶି ହେଉଛି ସେମାନଙ୍କ ଯୋଗଦାନ। ପରବର୍ତୀ ମୁହୂର୍ତ୍ତରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ଉଦଳାର ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଥିଲା। ପରିଶେଷରେ ସହକାରୀ ଶ୍ରମ ଅଧିକାରୀ, ଉଦଳା, ଶ୍ରୀମତୀ ହେମ୍ବ୍ରମ ସମସ୍ତ ଅତିଥି, କର୍ମକର୍ତ୍ତା ଏବଂ ହିତାଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ୪୦୦ରୁ ଉର୍ଦ୍ଦ୍ୱ ହିତାଧିକାରୀ ମାନେ ଯୋଗ ଦେଇଥିବାର ସୂଚନା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଠାରୁ ପ୍ରକାଶ।