ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ନିମନ୍ତେ ଆଜି ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆସନ୍ତା ମାସ ୧୭ ତାରିଖରେ ଅନୁଷ୍ଠିତ ହେବ । ଏଥି ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଛି । ଏହି କ୍ରମରେ ଶ୍ରୀମନ୍ଦିରର ପରିଚାଳନା କମିଟିର ସଦସ୍ୟ, ବରିଷ୍ଠ ସେବାୟତ ଓ ପ୍ରଶାସକମାନେ ଆସି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି ଦଳ ଲିଙ୍ଗରାଜ ମନ୍ଦିର ପ୍ରବେଶ ପଥରେ ପହଞ୍ଚିବା ପରେ ସେମାନଙ୍କୁ ପାରମ୍ପରିକ ସଂକୀର୍ତ୍ତନ, ଦୁଲ୍‌ଦୁଲି ଓ ଯୋଡ଼ିଶଙ୍ଖ, ଝୋଟି ଓ ଚିତା ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଏହାପରେ ଲିଙ୍ଗରାଜଙ୍କ ସେବାୟତଗଣ ଓ ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ମନ୍ଦିର ଭିତରକୁ ସେମାନଙ୍କୁ ପାଛୋଟି ନେଇଥିଲେ । ସେମାନେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦେବା ପରେ ନବୀନ ନିବାସ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ନିମନ୍ତେ ଆମନ୍ତ୍ରଣ କରିଥିଲେ । ଏଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଶ୍ରୀ ରଞ୍ଜନ କୁମାର ଦାସ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତିଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ପ୍ରମୁଖ ଥିବାବେଳେ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ
ଶ୍ରୀ ସାଫଲ୍ୟମଣ୍ଡିତ ପ୍ରଧାନ ଓ ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଭୁବନେଶ୍ୱର ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରଦୀପ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଏହାପରେ ବରିଷ୍ଠ ସେବାୟତ ଓ ଅଧିକାରୀମାନେ ବିଭିନ୍ନ ମଠ ଓ ମନ୍ଦିରକୁ ନିମନ୍ତ୍ରଣ କରିବା ନିମନ୍ତେ ଦିଲ୍ଲୀ, କୋଲକାତା, ଚେନ୍ନାଇ, ମଦୁରାଇ, ମୁମ୍ବାଇ, ଅହମଦାବାଦ୍‌, ବେଙ୍ଗାଲୁରୁ, ଇନ୍ଦୋର, ତିରୁଅନନ୍ତପୁରମ୍‌ ଅଭିମୁଖେ ଆଜି ପ୍ରଥମ ଦିନରେ ଯାତ୍ରା କରିଛନ୍ତି ।

Leave a Reply

Your email address will not be published. Required fields are marked *