ରାଜ୍ୟସ୍ତରୀୟ ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ

ରାଜ୍ୟସ୍ତରୀୟ ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ
ଅନ୍ତଃବିଭାଗୀୟ ସମନ୍ୱୟ ଏବଂ ଜନସଚେତନତାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର, ତା ୩୧ ମଇ ୨୦୨୫ – ଜାତୀୟ ତମାଖୁ ନିଷେଧ କାର୍ଯ୍ୟକ୍ରମ (ଏନଟିସିପି) ଅଧୀନରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ବିଶ୍ୱ ତମାଖୁ ନିଷେଧ ଦିବସ-୨୦୨୫ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସ ଅଧ୍ୟକ୍ଷତା କରି ତମାଖୁ ବ୍ୟବହାରକୁ ରୋକିବା ପାଇଁ ଅନ୍ତଃବିଭାଗୀୟ ସମନ୍ୱୟ ଏବଂ ଜନସଚେତନତାକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ ।
ଏହି ଅବସରରେ ଏକ ସ୍ବାକ୍ଷର ଅଭିଯାନ ଆରମ୍ଭ କରାଯାଇଥିଲା । ଏହା ସଚେତନ ନାଗରିକମାନଙ୍କ ସମର୍ଥନକୁ ଏକତ୍ରିତ କରାଇ ଏକ ତମାଖୁ ମୁକ୍ତ ଓଡ଼ିଶା ଗଠନ ପାଇଁ ଜନସାଧାରଣଙ୍କ ସଂକଳ୍ପକୁ ମଜବୁତ କରିବ । ଏହା ସହ ଯୁବପିଢ଼ି ଏବଂ ଦୁର୍ବଳ ମାନସିକତାର ଲୋକଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି କରିବା ପାଇଁ ନୂତନ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ସାମଗ୍ରୀ ଉନ୍ମୋଚିତ କରାଯାଇଥିଲା । ଜାତୀୟ ତମାଖୁ ନିଷେଧ କାର୍ଯ୍ୟକ୍ରମ ଅଧୀନରେ ବାର୍ଷିକ କାର୍ଯ୍ୟକଳାପ ରିପୋର୍ଟ ୨୦୨୪-୨୫ ପ୍ରକାଶିତ ହୋଇଥିଲା । ବିଗତ ବର୍ଷରେ ହାସଲ ହୋଇଥିବା ପ୍ରବର୍ତ୍ତନ ମାଇଲଖୁଣ୍ଟର ଅଗ୍ରଗତି, ଜିଲ୍ଲା ଗୁଡିକର ସାମ୍ପ୍ରତିକ ସ୍ଥିତି ଏହି ରିପୋର୍ଟରେ ସ୍ଥାନିତ ହୋଇଛି ।
ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନ ପରିଚାଳନା ନିମନ୍ତେ ଆପ୍ଲିକେସନ – ToFEI ଆପ୍: ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ (ToFEI) ପାଇଁ ଏକ ୱେବ-ଆଧାରିତ ଆପ୍ଲିକେସନର ଉନ୍ମୋଚନ କରାଯାଇଥିଲା, ଯାହା ସ୍କୁଲ ଏବଂ କଲେଜଗୁଡ଼ିକୁ ସ୍ଵକୀୟ-ମୂଲ୍ୟାୟନ, ରିପୋର୍ଟିଂ ଏବଂ ଜାତୀୟ ToFEI ନିର୍ଦ୍ଦେଶାବଳୀ ଅନୁପାଳନକୁ ଅଧିକ କ୍ରିୟାଶୀଳ କରିବାକୁ ସକ୍ଷମ ହେବ ।
ଜାତୀୟ ତମାଖୁ ନିଷେଧ କାର୍ଯ୍ୟକ୍ରମ ଅଧୀନରେ ଉତ୍କୃଷ୍ଟ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ, ନିମ୍ନଲିଖିତ ଜିଲ୍ଲାଗୁଡ଼ିକୁ ସମ୍ମାନିତ କରାଯାଇଛି:
- ଗଞ୍ଜାମ – ଏନଟିସିପିର ସାମଗ୍ରିକ କାର୍ଯ୍ୟାନ୍ୱୟନ
- ସୁନ୍ଦରଗଡ଼ – ତମାଖୁ ନିୟନ୍ତ୍ରଣ ଆଇନ ପ୍ରବର୍ତ୍ତନରେ ଉତ୍କର୍ଷତା
- କଟକ – ଏନଟିସିପି ଅଧୀନରେ ଦକ୍ଷ ଆର୍ଥିକ ପରିଚାଳନା
ଏହା ବ୍ୟତୀତ, ପାଞ୍ଚଟି ପ୍ରମୁଖ ବିଭାଗକୁ ସେମାନଙ୍କର ଉଦାହରଣାତ୍ମକ ସହଯୋଗ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଅବକାରୀ ବିଭାଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଓ ଗୃହ ବିଭାଗ ।
ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତା, ସ୍ବତନ୍ତ୍ର ସଚିବ (ଜନସ୍ୱାସ୍ଥ୍ୟ), ରାଜ୍ୟ ଶିକ୍ଷା ଓ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକ ଡା. ଅମରେନ୍ଦ୍ରନାଥ ମହାନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ତମାଖୁ ଖାଇବାର କାରଣ ଓ ତାହାର ନିରାକରଣ ଏବଂ କିପରି ତମାଖୁ ମୁକ୍ତ ପିଢ଼ି ସୃଷ୍ଟି କରାଯାଇପାରିବ ସେ ଉପରେ ଆଲୋକପାତ କରିଥିଲେ । ଡା. ସୁଶାନ୍ତ କୁମାର ସ୍ୱାଇଁ, ଅତିରିକ୍ତ ନିର୍ଦ୍ଦେଶକ (ଅଣ ସଂକ୍ରାମକ ରୋଗ ) ତଥା ରାଜ୍ୟ ଭାରପ୍ରାପ୍ତ ଅଧିକାରୀ (ଏନଟିସିପି) ଏହି ବୈଠକର ପରିଚାଳନା କରିଥିଲେ।
ସୌରଭ ପ୍ରଧାନ
ଲୋକ ସମ୍ପର୍କ ଅଧିକାରୀ