କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ଘୋଷଣା, ଧନ୍ୟବାଦ ଅର୍ପଣ କଲେ ଜିଲ୍ଲାବାସୀ
କେନ୍ଦୁଝର: ରାଜ୍ୟ ସରକାର ଷ୍ଟିଲ ହବ ନେଇ ପାଞ୍ଚୋଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ମାନ ଘୋଷଣା କରିଥିଲେ । ଏହି ଘୋଷଣାରେ କେନ୍ଦୁଝର ଜିଲ୍ଲାର କାରାଖେନ୍ଦ୍ରା ଠାରେ ୩ଏମଟିଏ ଷ୍ଟିଲ ପ୍ଲାଣ୍ଟ ଅନ୍ତର୍ଭୁକ୍ତ । ଦୀର୍ଘଦିନ ଧରି କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ନେଇ ବହୁ ଦିନରୁ ଦାବି ହୋଇ ଆସୁଥିଲା । ଏହି ଦାବି ହାସଲ ପରେ କେନ୍ଦୁଝର ଜିଲ୍ଲାରେ ଏକ ପ୍ରକାର ଖୁସିର ଲହରୀ ଖେଳି ଯାଇଛି । ଏନେଇ ଆଜି କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦରବାର ହଲ ଠାରେ ଏକ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ କେନ୍ଦୁଝର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ପରିଚାଳନା କରିଥିଲେ । ଦରବାର ହଲ ଠାରେ ହୋଇଥିବା ଧନ୍ୟବାଦ ସଭାକୁ ବିଧାୟକ ବଦ୍ରୀ ନାରାୟଣ ପାତ୍ର ପରିଚାଳନା କରିଥିବାବେଳେ ମଞ୍ଚରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଏବଂ ପୂର୍ବତନ ବିଧାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଭାସି ଦ୍ୱାରା ପରିଚାଳିତ ହୋଇଥିବା ଧନ୍ୟବାଦ ଅର୍ପଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ବି କେ ପାଣ୍ଡିୟାନ ଉପସ୍ଥିତ ରହି ଜିଲ୍ଲାର ବିକାଶ କ୍ଷେତ୍ରରେ ଷ୍ଟିଲ ପ୍ଲାଣ୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିବା ବେଳେ କିଛି ବରିଷ୍ଠ ନାଗରିକ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନୂତନ ପ୍ରସ୍ତାବ ଦେଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ରେ ଶାସକ ବିଜେଡି ଦଳର ବହୁ ନେତାଙ୍କ ସହରର ବହୁ ମାନ୍ୟଗଣ୍ୟ ଲୋକ ଉପସ୍ଥିତ ଥିବାବେଳେ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଉପସ୍ଥିତ ନଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।