ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟଙ୍କ ସରକାରଙ୍କୁ କ୍ଲିନ୍ ଚିଟ୍‌, ଠିକ୍ ଥିଲା ନିଷ୍ପତି

ନୂଆଦିଲ୍ଲୀ: ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ । କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ । ମୋଦି ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତି ଠିକ୍ ଥିଲା । ଏହି ପ୍ରକ୍ରିୟାରେ କୌଣସି ବୋଲି କହିଲେ ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସୋମବାର ଏହି ରାୟ ଶୁଣାଇଛନ୍ତି । ଏଥିସହ ବିମୁଦ୍ରୀକରଣକୁ ନେଇ ହୋଇଥିବା ୫୮ଟି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ନୋଟବନ୍ଦୀ ନିଷ୍ପତିକୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ୫୮ ଯାଚିକାକୁ ରଦ୍ଦ କରିଛନ୍ତି ଖଣ୍ଡପୀଠ । କେନ୍ଦ୍ର ସରକାରଙ୍କ ଆହ୍ୱାନପୂର୍ଣ୍ଣ ବିମୁଦ୍ରୀକରଣ ନିଷ୍ପତିକୁ ବୈଧ କହିଛନ୍ତି । ଏହା ସହିତ ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । କେନ୍ଦ୍ରର ଏହି ପଦକ୍ଷେପ ଯୋଗୁ କଳାଧନ, ଟ୍ୟାକ୍ସ ଚୋରି ଓ ଟେରର ଫଣ୍ଡିଂରେ ରୋକ୍ ଲାଗିଛି । ସେହିପରି ଗୋଟିଏ ରାତିରେ ୧୦ଲକ୍ଷ କୋଟି ଟଙ୍କାର ସାର୍କ୍ୟୁଲେସନ ରିଜର୍ଭ ବ୍ୟାଙ୍କ ଫେରାଇ ଆଣିବାରେ ସଫଳ ହୋଇଛି ନ୍ୟାୟମୂର୍ତି କହିଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି ମିଳିଛି ।

୪:୧ ବହୁମତରେ ବିମୁଦ୍ରୀକରଣକୁ ବୈଧ କହିଛନ୍ତି ଖଣ୍ଡପୀଠ । ମାତ୍ର ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଅସମତି ପ୍ରକାଶ କରିଛନ୍ତି ୫ଜଣିଆ ବେଂଚରେ ସାମିଲ ଥିବା ନ୍ୟାୟମୂର୍ତି ଜଷ୍ଟିସ୍ ବି.ବି. ନାଗରତ୍ନ । କେନ୍ଦ୍ର ସରକାର ସମସ୍ତ ସିରିଜ୍ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ କରିବା ଅସାମ୍ବିଧାନିକ ଏବଂ ଏହା ଏକ ଗମ୍ଭୀର ମାମଲା । ସରକାର ବିମୁଦ୍ରୀକରଣକୁ ଅଧିନିୟମ ଆଧାରରେ କରିବା ବଦଳରେ ବିଧେୟକ ଜରିଆରେ କରିବାର ଆବଶ୍ୟକତା ଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ନଷ୍ପତି ନେବା ପୂର୍ବରୁ ଏହାକୁ ସଂସଦରେ ପାରିତ କରିବା ଦରକାର ଥିଲା ବୋଲି ଜଷ୍ଟିସ୍ ନାଗରତ୍ନ କହିଛନ୍ତି । ଆରବିଆଇ ପକ୍ଷରୁ ଦିଆଯାଇଥିବା କାଗଜପତ୍ରରୁ ସ୍ପଷ୍ଟ ରୂପେ ବାରିହେଉଛି କି ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ କୌଣସି ନିଷ୍ପତି ନିଆନଯାଇ ସବୁ କିଛି କେନ୍ଦ୍ର ସରକାରଙ୍କ ଇଚ୍ଛାରେ ହୋଇଛି । ବିମୁଦ୍ରୀକରଣ ନିଷ୍ପତି ୨୪ ଘଂଟାରେ ନିଆଯାଇଛି ବୋଲି ଜଷ୍ଟିସ୍ ନାଗରତ୍ନ ନିଜ ରାୟରେ କହିଛନ୍ତି ।

୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର । ସମସ୍ତ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବିମୁଦ୍ରୀକରଣ କରିବାକୁ ନିଷ୍ପତି ହୋଇଥିଲା । ତେବେ ସରକାରଙ୍କ ଏହି ନିଷ୍ପତିକୁ ବେଆଇନ ଦର୍ଶାଇ ୫୮ଟି ଆବଦେନ ହୋଇଥିଲା । ଗତ ଡିସେମ୍ବର ୭ରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ପୀଠରେ ମାମଲାର ଶୁଣାଣି ହୋଇଥିଲା । ଶୁଣାଣି ପରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ । ଏଥିସହ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଜଷ୍ଟିସ ଏସ୍‌?.ଏ.ନାଜିରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲରେ ନିଜ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏହି ନିଷ୍ପତିକୁ ବଦଳାଇ ଯାଇପରିବ ନାହିଁ । ବିମୁଦ୍ରୀକରଣ ନିଷ୍ପତିରେ କୌଣସି ତ୍ରୁଟି ନାହିଁ । ସମସ୍ତ ରେକର୍ଡ ଯାଂଚ ପରେ ଏହି ନିଷ୍ପତି ନିଆଯାଇଛି ।

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହା ନଭେମ୍ବର ୮ ତାରିଖରେ ସରକାର ବିମୁଦ୍ରାକରଣ ଘୋଷଣା କରିଥିଲେ । ପୁରୁଣା ୫ଶହ ଓ ୧ ହଜାର ଟଙ୍କିଆ ନୋଟ୍ ସବୁକୁ ବିମୁଦ୍ରାକରଣ କରିବାକୁ ନିଷ୍ପତି ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳାଧନ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଥିଲେ । ମୋଦି ସରକାରଙ୍କ ଏହି ନିଷ୍ପତି ପରେ ସାରା ଦେଶରେ ଚହଳ ପଡିଯାଇଥିଲା । ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡିଥିଲା ।

Leave a Reply

Your email address will not be published. Required fields are marked *