କୋଣାର୍କରେ ଗୁରୁ ଦିବସ ସମାରୋହ ଅନୁଷ୍ଠିତ

କୋଣାର୍କ :କୋଣାର୍କ ଯାତ୍ରୀ ନିବାସ ପରିସରରେ ନିଆରା ପରମ୍ପରା ଅନୁଯାୟୀ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଉତ୍କଳ ୟୁଥ୍ ଫାଉଣ୍ଡେସନ ଓ ଆର୍ତ୍ତତ୍ରାଣ କାର୍ତିକେଶ୍ୱର ବିଦ୍ୟାପୀଠ ମିଳିତ ଆନୁକୁଲ୍ୟରେ ଏହି ଗୁରୁ ଦିବସ ସମାରୋହ ଆୟୋଜିତ କରଯାଇଥିଲା। ପବିତ୍ର ଗୁରୁ ଦିବସରେ ବିଶେଷ କରି ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମନେ ପକାଇବା ଓ ସେମାନଙ୍କୁ ସମ୍ମାନିତ କରିବା ଏହି ସମାରୋହର ମୂଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ ପକ୍ଷରୁ ସୁଚନା ଦିଆଯାଇଛି। ଚଳିତ ବର୍ଷ ଗୋପ ବ୍ଲକ୍ ଅନ୍ତର୍ଗତ ଅନେକ ବିଦ୍ୟାଳୟରୁ ଅବସରପ୍ରାପ୍ତ ୩୫ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପାରମ୍ପରିକ ଓଡ଼ିଆ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ଆର୍ତ୍ତତ୍ରାଣ କାର୍ତିକେଶ୍ୱର ବିଦ୍ୟାପୀଠ ସଭାପତି ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋପ ବ୍ଲକ ଶିକ୍ଷା ଅଧିକାରୀ ସୁନିଲ ବ୍ରହ୍ମା, ଶିକ୍ଷାବିତ୍ ରବୀନ୍ଦ୍ର ନାଥ ବାହିନୀପତି, କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ନବୋଦୟ ବିଦ୍ୟାଳୟ ଅଧକ୍ଷ ନୃସିଂହ ଚରଣ କର ପ୍ରମୁଖ ଯୋଗ ଦେଇ ଗୁରୁ ଦିବସ ମହତ୍ତ୍ଵ, ଗୁରୁ ମାନଙ୍କ ଭୂମିକା ଓ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସହ ସମ୍ବର୍ଧିତ ପ୍ରତିଭା ଗୁରୁ ମାନଙ୍କୁ ସମ୍ବର୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ରାମକୃଷ୍ଣ ମହାନ୍ତି ପରିଚାଳନା କରିଥିଲେ।
