ଆଜିଠୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଚଳିତ ଅଧିବେଶନ ପାଇଁ ସମୟ ସାରଣୀ ବଦଳିଥିବା ବେଳେ ବଜେଟ୍ ପେପରଲେସ ହେବ । ତେବେ ଚଳିତ ଥର ପ୍ରଶ୍ନକାଳ ଓ ଶୂନ୍ୟକାଳ ମଧ୍ୟ ରହିବ ।
ଏଥିସହ ମୁଲତବୀ ଆଲୋଚନା ବି ହେବ । ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ଼ ଘଣ୍ଟା ଚାଲିବ । ସକାଳ ୧୦ଟା ୩୦ରୁ ୧୧ଟା ୩୦ ଯାଏଁ ପ୍ରଶ୍ନକାଳ ଚାଲିବ । ତାରକା ପ୍ରଶ୍ନ ମଧ୍ୟ ପଚାରି ପାରିବେ ବିଧାୟକ । ଦୈନିକ ୫ଘଣ୍ଟା ଚାଲିବ ଗୃହ । ଦୈନିକ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ଅପରାହ୍ଣ ସାଢେ ୧ ଟାଏ ପର୍ଯ୍ୟନ୍ତ ଚାଲିବ । ଯେଉଁଦିନ ସେସନରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବ ସେଦିନ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ ।
ଫେବୃଆରୀ ୧୮ରୁ ୨୮ ଯାଏଁ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଥିବା ବେଳେ ମାର୍ଚ୍ଚ ୧୧ରୁ ୩୧ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ୨୨ତାରିଖ ଦିନ ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରିବେ ।
ସେପଟେ ବଜେଟ୍ ଅଧିବେଶନକୁ ଦୃଷ୍ଟିରେ ରଖି ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ଉପରେ କମିଶନରେଟ ପୋଲିସ୍ ପ୍ରତିବନ୍ଧକ ଲଗାଇଛନ୍ତି । ବିଧାନସଭା ଏବଂ ସଚିବାଳୟ ପରିସରରେ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବା ସହିତ ସୁରକ୍ଷାକୁ ବୃଦ୍ଧି କରାଯାଇଛି। କୌଣସି ଆତ୍ମହୁତି ଉଦ୍ୟମକୁ ରୋକିବା ପାଇଁ ଏକ ପୋଲିସ ଟିମ୍ କମ୍ବଳ ଏବଂ ପାଣି ସହିତ ଷ୍ଟାଣ୍ଡବାଇରେ ରହିବ।