ରଥ ଦକ୍ଷିଣ ମୋଡ

ପୁରୀ: ୧୭/୦୭/୨୧- ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଅନ୍ୟପଟେ ଆଜିଠାରୁ ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଇଛି। ସନ୍ଧ୍ୟା 7 ଟା ସୁଦ୍ଧା ତିନିରଥ ନାକଚଣା ଦ୍ୱାରରେ ଦଣ୍ଡାୟମାନ ହୋଇଛି |ସେପଟେ ଚଳିତବର୍ଷ ଗୁଣ୍ଡିଚା ମନ୍ଦିରରେ ହେବନାହିଁ ନବମୀ ତିଥିର ସଂଧ୍ୟା ଦର୍ଶନ। କେବଳ ନୀତିକାନ୍ତି କରାଯିବ।
-ଆସନ୍ତା ମଙ୍ଗଳବାର ବାହୁଡାଯାତ୍ରା ।ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଆଜି ସମସ୍ତ ନୀତିକାନ୍ତି ସରି ସକାଳ ଧୂପ ପରେ ଘଣ୍ଟଘଣ୍ଟା,କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା।ରାସ୍ତାର ଦୁଇ ପାର୍ଶ୍ଵରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ,ପରେ ବଳଭଦ୍ରଙ୍କ ରଥ ଓ ତାପରେ ନନ୍ଦିଘୋଷ ରଥ ଦକ୍ଷିଣମୋଡ କରିଥିଲେ ।
ଗତବର୍ଷ କେବଳ ସେବାୟତ ମାନେ ଦକ୍ଷିଣମୋଡ କରିଥିବା ବେଳେ ଚଳିତବର୍ଷ ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିଛନ୍ତି। ଏହା ବାହୁଡା ଯାତ୍ରାର ଅୟମାରମ୍ଭ। ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାହୁଡାଯାତ୍ରା ପାଇଁ 19 ତାରିଖ ରାତିରୁ 22 ତାରିଖ ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଓ 144ଧାରା ଜାରି କରାଯିବ। ସିଆରପିସିର ଧାରା ୧୪୪ ଅନୁଯାୟୀ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଆଉ କାହାରିକୁ ଛଡ଼ାଯିବ ନାହିଁ।ବଡ଼ଦାଣ୍ଡରେ କୌଣସି ଗାଡି ଗଡ଼ିବ ନାହିଁ।ବଡଦାଣ୍ଡରେ ଥିବା ସମସ୍ତ କୋଠା ଯାଞ୍ଚ ହେବ ସହ ସଂଯୋଗ କରୁଥିବା ପ୍ରତ୍ୟେକ ରାସ୍ତା ସିଲ ହେବ। ଅନ୍ୟପଟେ ଶ୍ରୀଗୁଣ୍ଡିଚା ଯାତ୍ରାରେ କର୍ଫ୍ୟୁ ଉଲଂଘନ ଘଟଣାରେ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । କୋଭିଡ୍ କଟକଣା ଉଲଙ୍ଘନ କରି ବଡଦାଣ୍ଡରେ ରଥା ରୂଢ ବିଗ୍ରହଙ୍କ ଦର୍ଶନ କରିବା ଅଭିଯୋଗରେ ଚଉଦ ଜଣଙ୍କୁ ଚିହ୍ନଟ କରାଯାଇ ନୋଟିସ ଜାରି କରାଯାଇଛି। ଅନ୍ୟପଟେ ବାହୁଡା ଯାତ୍ରାରେ କଟକଣାକୁ ଆହୁରି କଡାକଡି କରାଯିବା ସହ କର୍ଫ୍ୟୁ ଉଲଂଘନ ଘଟଣାର ପୁନରାବୃତ୍ତି ନ ହେବାକୁ ନିଆଯାଉଛି କଡା ପଦକ୍ଷେପ। ବଡଦାଣ୍ଡର ଦୁଇପାର୍ଶ୍ୱରେ ଥିବା ବିଭିନ୍ନ ହୋଟେଲ, ଲଜିଂ ଓ ଧର୍ମଶାଳାକୁ ଆଗୁଆ ସିଲ୍ କରି ବାହୁଡା ଯାତ୍ରା କଟକଣା ସମ୍ପର୍କରେ ଆଜି ପ୍ରଶାସନ ବିଧିବଦ୍ଧ ଭାବେ ନୋଟିସ ଜାରି କରିବ |ତେଵେ ବାହୁଡା଼ ଯାତ୍ରା ପାଇଁ ସେବାୟତ ଓ କର୍ମଚାରୀ ମାନଙ୍କର। ଆରଟିପିସିଆର୍ ଟେଷ୍ଟ ଚାଲୁ ରହିଥିବା ଜିଲ୍ଲାପାଳ କହିଛନ୍ତି।
ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କର୍ପୁ ଶତାଧିକ ଲୋକ କଟକଣା ଉଲଂଘନ କରିଥିବା ବେଳେ ଆସନ୍ତା ବାହୁଡା଼ ଯାତ୍ରା ଦିନ ତାହାର ପୁନରାବୃତ୍ତି ନ ହେବା ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା