ଜଳବିଦ୍ୟୁତ ପ୍ରକଳ୍ପ ନେଇ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଲାଞ୍ଜିଗଡ଼, ବାଲିଗୁଡ଼ା ଓ ଫୁଲବାଣୀର ବିଧାୟକ, ଓଡ଼ିଶା ଜଳବିଦୁ୍ୟତ ନିଗମ (ଓଏଚ୍‌ପିସି)ର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀ ଶାଶ୍ୱତ ମିଶ୍ର, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ପୂର୍ବରୁ ସରକାର ରାଜ୍ୟରେ ୪ଟି ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ଅନୁମୋଦନ ପ୍ରାପ୍ତ କରିଛନ୍ତି । ସେଥି ମଧ୍ୟରୁ ୩ ଗୋଟି ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରକଳ୍ପ ଓ ଗୋଟିଏ ହାଇଡ୍ରୋ ଇଲେକ୍ଟ୍ରିକ୍‌ ପ୍ରକଳ୍ପ ରହିଛି । ସେଗୁଡ଼ିକ ହେଲା, କଳାହାଣ୍ଡି ଜିଲ୍ଲାର ୬୦୦ ମେଗାୱାଟ୍‌ର ଉପର ଇନ୍ଦ୍ରାବତୀ ପ୍ରକଳ୍ପ, କୋରାପୁଟ ଜିଲ୍ଲାର ୬୦୦ ମେଗାୱାଟ୍‌ର ଉପର କୋଲାବ୍‌ ପ୍ରକଳ୍ପ, ମାଲକାନଗିରି ଜିଲ୍ଲାର ୫୦୦ ମେଗାୱାଟ୍‌ର ବାଲିମେଳା ପ୍ରକଳ୍ପ ଏବଂ କନ୍ଧମାଳ ଜିଲ୍ଲାର ୬୩ ମେଗାୱାଟ୍‌ ବିଶିଷ୍ଟ ଖଡଗ ଜଳବିଦ୍ୟୁତ ପ୍ରକଳ୍ପ ରହିଛି । ଉପମୁଖ୍ୟମନ୍ତ୍ରୀ ଏହିସବୁ ପ୍ରକଳ୍ପର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ ।

ଆଜିର ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପିଏସ୍‌ପି ପ୍ରକଳ୍ପ ଦ୍ୱାରା ବିଦ୍ୟୁତ ଉତ୍ପାଦନକୁ ପ୍ରାଧାନ୍ୟ ଦେଉଛନ୍ତି । ଏହା ଦ୍ୱାରା ଜଳବାୟୁ ଓ ପରିବେଶର ସ୍ୱଚ୍ଛତା ବଜାୟ ରହିବା ସହ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ବ୍ୟବହାର କରି ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ଚାହିଦା ମେଣ୍ଟାଇ ହେବ । ବୈଠକରେ ଜଳଭଣ୍ଡାର ବା ବ୍ୟାରେଜ୍‌ ନିର୍ମାଣ ଅଞ୍ଚଳରେ ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ସହ ଉପଯୁକ୍ତ କ୍ଷତିପୂରଣ ସମୟାନୁଯାୟୀ ଦିଆଯିବା ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏତଦ୍‌ବ୍ୟତୀତ ବିସ୍ଥାପିତ ପରିବାରର ଯେକୌଣସି ସଦସ୍ୟଙ୍କୁ ଦକ୍ଷତା ବିକାଶ କରାଯାଇ ସ୍ଥାନୀୟ ଅଞ୍ଚଳରେ କିମ୍ବା ସେହି ପ୍ରକଳ୍ପରେ ନିଯୁକ୍ତି ପ୍ରଦାନ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଏହା ସହ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ନିମନ୍ତେ ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ । ଜଳବିଦ୍ୟୁତ ପ୍ରକଳ୍ପ ହେଉଥିବା ଅଞ୍ଚଳର ଆଖପାଖର ବିଦ୍ୟୁତ ଯୋଗାଣ, ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଏଚ୍‌ପିସିର ସିଏମ୍‌ଡି ଶ୍ରୀ ଶାଶ୍ୱତ ମିଶ୍ର ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବାଲିଗୁଡ଼ା ବିଧାୟକ, ଲାଞ୍ଜିଗଡ଼ ବିଧାୟକ, ଫୁଲବାଣୀ ବିଧାୟକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *