ଡଗରାସାହି ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ସମ୍ପନ୍ନ

ଭଦ୍ରକ:୧୨/୭- ଚରମ୍ପା ସ୍ଥିତ ୪ନଂ ୱାର୍ଡ ଡଗରାସାହି ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ଚଳିତ ବର୍ଷ ମହାମାରୀ କରୋନାକୁ ଲକ୍ଷ୍ୟ ରଖି ତଥା ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାବଳୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ପ୍ରତି ସମ୍ମାନ ଜଣାଇ ଶ୍ରୀଜୀଉମାନଙ୍କ ଘୋଷଯାତ୍ରା ନୀତିକାନ୍ତି ବିଧି ସମ୍ମତ ସମ୍ପନ୍ନ ହୋଇଯାଇଛି l ସକାଳେ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି ପରେ ସକାଳ ଧୂପ ଦିଆଯାଇ ଶ୍ରୀଜୀଉଙ୍କୁ ଧାଡି ପହଣ୍ଡିରେ ଦୁଇ ଚାରି ଜଣ ସେବାୟତ ଓ ପରିଚାଳନା କମିଟିର ସଦସ୍ୟଙ୍କ ଗହଣରେ ମନ୍ଦିର ପରିସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଜୀଉମାନଙ୍କୁ ଅବସ୍ଥାପିତ କରାଯାଇଛି । ପ୍ରତିଦିନ ଯଥାବିଧି ପୂଜାପାଠ ଓ ଶ୍ରୀମଦ୍ ଭାଗବତ ପାଠ କରାଯାଇ ସନ୍ଧ୍ୟା ଧୂପ ପରେ ପହୁଡ ଆଦି ମନ୍ଦିର ପୂଜକମାନଙ୍କ ଦ୍ୱାରା କରାଯିବ । ହେରା ପଞ୍ଚମୀ, ନବମୀ ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ଶେଷରେ ଚତୁର୍ଦ୍ଦଶୀ ତିଥିରେ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରାଯାଇ ଶ୍ରୀଜୀଉମାନଙ୍କୁ ନିଳାଦ୍ରି ବିଜେ କରାଯିବ । ଶାନ୍ତି ଶୃଙ୍ଖଳା ସହକାରେ ରଥଯାତ୍ରା ସମ୍ପନ୍ନ ହୋଇଥିବାରୁ କମିଟିର ସଭାପତି,ସମ୍ପାଦକ ମନ୍ଦିରର ସମସ୍ତ ସେବାୟତ ଓ ଗ୍ରାମବାସୀମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।