ପଥର ପିଟିଲେ ପରିବାର ଚଳେ

ଲକ୍ଷ୍ମୀପୁର,୨୯/୦୫- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ଗ୍ରାମ ପଞ୍ଚାୟତର ଖାଲକଣା କଲଣି ଠାରେ ବସ ବାସ କରୁଛନ୍ତି ୧୨ ଘର ଆଦିବାସି ପରିବାର।କିନ୍ତୁ ସେମାନଙ୍କ ଅବସ୍ଥା କହିଲେ ନସରେ।ସେମାନେ ବାସ କରୁଥିବା ଘର ଭାଙ୍ଗି ତୁଟି ଗଲାଣି।ଘର ଭିତରୁ ଦିନର ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖା ଜାଉଛି।କାନ୍ଥରୁ ମାଟି ଖସି ଗଲାଣି କେତେବେଳେ ତାହା ଭୁସୁଡି ପଡିବ ତାହା କହିବା ମୁସ୍କିଲ୍।ହୁଡ୍ ହୁଡ୍ ବାତ୍ୟାରେ ଘର ଦ୍ଵାର ଭାଙ୍ଗିଗଲା ହେଲେ କୌଣସି ସାହାଯ୍ୟ ମିଳି ନଥିବା ମୁଦୁଲି ଓ୍ଵାଡେକା ଓ ଲକ୍ଷ୍ମୀ ମାଣ୍ଡିଙ୍ଗା କହିଛନ୍ତି।ଅପର ପଟେ ସମସ୍ତ ପରିବାର ଗରିବ ଶ୍ରେଣିର ହୋଇଥିବାରୁ ପାଖ ପାହଡରୁ ପଥର ଖୋଳି ତାକୁ ଦିନ ତମାମ ବସି ହାତୁଡିରେ ପିଟି ମେଟାଲ୍ ବନାଇ ବିକ୍ରି କରି ପରିବାର ଚଳାଉଛନ୍ତି।ଆଠ ଦିନରେ ତିନି ଜଣ ମିସିଲେ ଗୋଟିଏ ଟ୍ରାକ୍ଟର୍ ଲୋଡ ମେଟାଲ ବାହାରେ।ତାହା ମଧ୍ୟ ୧୨ ସହ ଟଙ୍କାରେ ବିକ୍ରି ହୁଏ।ଥରେ ଗୋଟିଏ ଲୋଡ୍ ମେଟାଲ ବିକ୍ରି ହେଲେ ପୁଣି କେବେ ବିକ୍ରି ହେବ ତାକୁ ଅନାଇ ବସନ୍ତି। ଠିକାଦାର ମାନଙ୍କୁ କାମ ମିଳିଲେ ମେଟାଲ ଜାଉଛି ନହେଲେ ସେମିତି ମାସ ମାସ ଧରି ପଡି ରହୁଚି।ମେଟାଲ ପିଟିଲେ ପେଟକୁ ଦାନା ମିଳେ ନହେଲେ ନାହିଁ।ସେଥିରେ ପରିବାରର ସବୁକିଛି ଚଳି ଜାଏ।ଅର୍ଥ ଅଭାବ ପାଇଁ ଅନେକ ପିଲା ପ୍ରଥମ ଶ୍ରେଣି ବି ଯାଇନାହାନ୍ତି।ଅଧା କିଲୋମିଟର ଦୁ୍ରେ ଅଙ୍ଗନାବାଡି କେନ୍ଦ୍ର ଅଛି ହେଲେ ପିଲାଙ୍କୁ ସେଠାକୁବି ପଠାଇ ପାରୁ ନାହାନ୍ତି।ବାପା,ମା ପଥର ଫଟାଇବାକୁ ଗଲେ ପିଲା ମାନେ ଘର ଜଗନ୍ତି।ବ୍ଲକ ସଦରରୁ ଖାଲ କଣା ରାସ୍ତାରେ ସାତ କିଲୋମିଟର ଗଲେ ଉକ୍ତ କଲଣି ପଡେ।ହେଲେ ଆଜିବି ସେମାନେ ନିରକ୍ଷର ଅପାଠୁଆ, ଆଜିବି ସେମାନେ ଭୋକିଲା, ରାସ୍ତା କଡରେ କଲଣି ଥାଇବି କୌଣସି କାମ ମିଳୁ ନଥିବାରୁ ପଥର ପିଟି ଜୀବନ ଅତିବାହିତ କରୁଥିବା ସତରେ ସବୁଠୁ ଆଶ୍ଚର୍ଯ୍ୟର କଥା ପାଲଟିଛି। ଜିବନ ସହ ସଂଘର୍ଷ କରୁଥିବା ଏହି ୧୨ଟି ଆଦିବାସି ପରିବାର ନିଜର ପିଲା ଛୁଆଙ୍କ ପେଟକୁ ବଡ କଷ୍ଟରେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଦେଇ ପାରୁନଥିବା ବେଳେ ପାଠ ପଢାଇବାକୁ କୁଆଡୁ ପଇସା ଆଣିବୁ ଆଜ୍ଞା ବୋଲି ଗରିବ ପରିବାର ବଡ କ୍ଷୋଭର ସହ କହିଛନ୍ତି।ବର୍ତମାନ ଉକ୍ତ କଲଣି ଉପରେ ପ୍ରସାସନର ଦୃଷ୍ଟି ପଡିବା ନିହାତି ଦରକାର ହୋଇପଡିଛି।ଏନେଇ ଓଡିଆପେଣ୍ଠ ସରପଞ୍ଚ ବଂସିଧର ମାଣ୍ଡିଙ୍ଗାଙ୍କୁ ପଚାରିବାରୁ ସେଠାକୁ ଜାଇ କଲଣି ବାସିନ୍ଦାଙ୍କ ସହ କଥା ହେଇ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେବି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *