ଆଇପିଏଲ୍ ଫାଇନାଲରେ ଏସିଆ କପ୍-୨୦୨୩ ଆୟୋଜନ ନେଇ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ଫାଇନାଲ୍ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଦେଖିବାକୁ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଭାପତିମାନେ ଆସିବେ। ଏହି ସମୟରେ ଏସିଆ କପ୍ ୨୦୨୩ ଆୟୋଜନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ବିସିସିଆଇ ସମ୍ପାଦକ ତଥା ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ସଭାପତି ଜୟ ଶାହା ଏହି ସୂଚନା ଦେଇଛନ୍ତି। ଏସିଆ କପ୍‌କୁ ନେଇ ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟରେ ବିବାଦ ଲାଗି ରହିଛି ।

ଜୟ ଶାହା ଗଣମାଧ୍ୟମକୁ କହିଛନ୍ତି ଯେ ଏସିଆ କପ୍ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ। ଆମେ ଆଇପିଏଲରେ ବ୍ୟସ୍ତ ଅଛୁ । କିନ୍ତୁ ଶ୍ରୀଲଙ୍କା କ୍ରିକେଟ୍ (ଏସ୍ଏଲସି), ବାଂଲାଦେଶ ଏବଂ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ଉଚ୍ଚ ପଦସ୍ଥ ଅଧିକାରୀ ଆଇପିଏଲ୍ ଫାଇନାଲ୍ ଦେଖିବାକୁ ଆସୁଛନ୍ତି | ଆମେ ଏସିଆ କପ୍ ଆୟୋଜନ ନେଇ ଉପଯୁକ୍ତ ସମୟରେ ଆଲୋଚନା କରିବୁ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ”

ଚଳିତ ବର୍ଷ ଏସିଆ କପ୍‌ର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି । ତେବେ ଭାରତୀୟ କ୍ରିକେଟ୍ ଦଳ କେନ୍ଦ୍ର ସରକାରଙ୍କ ଅନୁମତି ବିନା ପଡ଼ୋଶୀ ଦେଶକୁ ଯାଇପାରିବ ନାହିଁ। ପିସିବି ଅଧ୍ୟକ୍ଷ ନଜାମ ସେଠୀ ଏକ ‘ହାଇବ୍ରିଡ୍ ମଡେଲ୍’ ପ୍ରସ୍ତାବ ଦେଇଥିଲେ। ‘ହାଇବ୍ରିଡ୍ ମଡେଲ୍’ ଅନୁଯାୟୀ ଶ୍ରୀଲଙ୍କା, ଆଫଗାନିସ୍ତାନ, ଆଫଗାନିସ୍ତାନ, ନେପାଳ, ବାଂଲାଦେଶ ପାକିସ୍ତାନରେ ପ୍ରଥମ ୪ଟି ମ୍ୟାଚ୍ ଖେଳିବେ । ଭାରତ ନିରପେକ୍ଷ ସ୍ଥାନରେ ତାର ସମସ୍ତ ମ୍ୟାଚ୍ ଖେଳିବ ।

ତେବେ ଏନେଇ ଏସିସି କୌଣସି ଔପଚାରିକ ବୟାନ ଦେଇନାହିଁ। ଭାରତ-ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ୍ ଶ୍ରୀଲଙ୍କାରେ ମଧ୍ୟ ଅନୁଷ୍ଠିତ ହୋଇପାରେ । କିନ୍ତୁ ପିସିବି ଚାହୁଁଛି ଏହି ଦୁଇଟି ମ୍ୟାଚ୍ ଦୁବାଇରେ ହେଉ। ଏସିସି ସୂତ୍ରରୁ ଜଣାପଡ଼ିଛି ଯେ ଏସିସି ମୁଖ୍ୟ ଜୟ ଶାହା ଖୁବ୍ ଶୀଘ୍ର ଏକ ବୈଠକ ଡାକିବେ ଯେଉଁଠାରେ ଏନେଇ ଔପଚାରିକ ଘୋଷଣା କରାଯିବ। ନିରପେକ୍ଷ ସ୍ଥାନରେ ଭାରତ ସହ ଖେଳିବା ନେଇ ପାକିସ୍ତାନର କୌଣସି ଆପତ୍ତି ନାହିଁ | ପାକିସ୍ତାନ ଦୁବାଇରେ ଭାରତ ସହ ମ୍ୟାଚ୍ ଖେଳିବାକୁ ଚାହୁଁଛି। ତେବେ ଶ୍ରୀଲଙ୍କା କିମ୍ବା ଅନ୍ୟ କୌଣସି ଦେଶରେ ଖେଳିଲେ ବି ପିସିବିର କୌଣସି ଅସୁବିଧା ନାହିଁ ।

ପିସିବି ମଧ୍ୟ କହିଛି ଯେ ପାକିସ୍ତାନ ସରକାରଙ୍କ ଅନୁମତି ପାଇବା ପରେ ହିଁ ତା’ର ଦଳ ବିଶ୍ୱକପ ଖେଳିବାକୁ ଭାରତ ଆସିବ। ଯଦି ବିଶ୍ବକପ୍ ପାଇଁ ପାକିସ୍ତାନ ଦଳ ଭାରତ ଆସୁନି, ତେବେ ବାଂଲାଦେଶରେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଓ ଆଇସିସି କିମ୍ବା ଆୟୋଜକ ବ୍ରଡକାଷ୍ଟର ରାଜି ହୋଇପାରନ୍ତି। ଚଳିତ ବର୍ଷର ଏସିଆ କପ୍ ପାଇଁ ୱିଣ୍ଡୋ ସେପ୍ଟେମ୍ବର ୧-୧୭ ମଧ୍ୟରେ ରହିଛି |

Leave a Reply

Your email address will not be published. Required fields are marked *