ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ
ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ
ଭୁବନେଶ୍ୱର, ତା୨୫/୦୬/୨୦୨୫ରିଖ
ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୯ ତାରିଖରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ପ୍ରସ୍ତାବକୁ ଏହି ବୈଠକରେ ଅନୁମୋଦନ କରାଯାଇଛି । ସୁଭଦ୍ରା ଯୋଜନାର ଅଦ୍ୟାବଧି ପ୍ରଶାସନିକ ଓ ଆନୁଷଙ୍ଗିକ ଖର୍ଚ୍ଚକୁ ମଧ୍ୟ ଏହି ବୈଠକରେ ଅନୁମୋଦନ କରାଯାଇଛି । ଇଣ୍ଡିଆନ ଇନଷ୍ଟିଚିଉଟ ଅଫ ପବ୍ଲିକ୍ ଆଡମିନଷ୍ଟ୍ରେସନ (ଆଇଆଇପିଏ), ନିଉ ଦିଲ୍ଲୀ ଦ୍ଵାରା “ଓଡ଼ିଶାର ଜିଲ୍ଲାମାନଙ୍କରେ ସୁଭଦ୍ରାର ପ୍ରଭାବ” ବିଷୟ ଉପରେ ହେବାକୁ ଥିବା ଅଧ୍ୟୟନର ପ୍ରସ୍ତୁତି ଓ ପ୍ରକ୍ରିୟା ଉପରେ ଉପସ୍ଥାପନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସବୁ ବର୍ଗର ସୁଭଦ୍ରା ହିତାଧିକାରୀଙ୍କ ଉପରେ ସୁଭଦ୍ରା ସହାୟତାର ପ୍ରଭାବ, ଏହାର ଉପଯୋଗ ଓ ଡିଜିଟାଲ ଆର୍ଥିକ ଅନ୍ତର୍ଭୂକ୍ତକରଣ ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇଥିଲା । ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଇଆଇଏମ ସମ୍ବଲପୁର ସହଯୋଗରେ ଜୁଲାଇ ମାସ ପ୍ରଥମ ସପ୍ତାହରୁ କଲେଜ ଝିଅ (ସୁଭଦ୍ରା ସମୀକ୍ଷା)ମାନଙ୍କ ଦ୍ଵାରା କ୍ଷେତ୍ର ସର୍ବେକ୍ଷଣ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଇଆଇଏମ,ସମ୍ବଲପୁର ତଥ୍ୟ ଅଧ୍ୟୟନ, ଉପକରଣ, ତାଲିମ ଏବଂ ବିଶ୍ଳେଷଣ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ । ସୁଭଦ୍ରା ସହାୟତାର ସଠିକ ଉପଯୋଗ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ହିତାଧିକାରୀମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ଵ ଦିଆଯାଇ ଦକ୍ଷତା ବିକାଶ ବିଭାଗ ସହ ଆଲୋଚନା ମଧ୍ୟ କରାଯାଇଛି । ସୁଭଦ୍ରା ସହାୟତାର ଉପଯୋଗକୁ ନିରନ୍ତର ଭାବେ ସମୀକ୍ଷା କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଅଛି ।
ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା,ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ତନୁଜା ମହାନ୍ତି
ଲୋକ ସମ୍ପର୍କ ଅଧିକାରୀ