ମୋଦି ଡାକିଲେ ଉଚ୍ଚ ସ୍ତରୀୟ ବୈଠକ, ସୁଦାନରେ ଫସିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ହେଲା ସମିକ୍ଷା

ନୂଆଦିଲ୍ଲୀ,୨୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ଯୁଦ୍ଧ ପ୍ରଭାବିତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ସମିକ୍ଷା କରିବାକୁ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ନେଇ ଚର୍ଚ୍ଚା ହୋଇଛି। ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଭାଗ ନେବା ସହ ସୁଦାନରେ ଥିବା ଭାରତୀୟଙ୍କ ସ୍ଥିତି ସମ୍ପର୍କରେ ମୋଦିଙ୍କୁ ଅବଗତ କରାଇଥିଲେ।
ସୂଚନାଯୋଗ୍ୟ, ସୁଦାନରେ ସେନା ଓ ର଼୍ୟାପିଡ ସପୋର୍ଟ ଫୋର୍ସଙ୍କ ମଧ୍ୟରେ ଲାଗି ରହିଥିବା ଗୃହଯୁଦ୍ଧକୁ ନେଇ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଉଭୟ ପକ୍ଷ ୨୪ ଘଣ୍ଟାର ସଂଘର୍ଷ ବିରାମରେ ସହମତି ପ୍ରକାଶ କରିଥିଲେ। ହେଲେ ବହୁତ ଶୀଘ୍ର ଏହି ଯୁଦ୍ଧ ବିରାମ ଶେଷ ହୋଇଯାଇଥିଲା। ବୁଧବାର ୫ମ ଦିନ ପର୍ଯ୍ୟନ୍ତ ଦେଶରେ ଡବ୍ଲୁଏଚଓ ୨୭୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଥିଲା ଓ ୨,୬୦୦ରୁ ଅଧିକ ଆହତ ହୋଇଥିଲେ।
ଇତିମଧ୍ୟରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିବା ସହ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା, ବ୍ରିଟେନ, ୟୁଏଇ ଏବଂ ସୌଦି ଆରବ ସହ କଥାହୋଇ ସମନ୍ବୟ ଆରମ୍ଭ କରିଦେଇଛନ୍ତି। ଗୁଳିମାଡ ଓ ବିମାନ ଆକ୍ରମଣରେ ରାଜଧାନୀ ଖାରତୁମ ଓ ନୀଳ ନଦୀର ଓମଡ୍ଡରମ୍ୟାନ ସହରକୁ ଦୋହଲାଇ ଦେଇଛି। ଦେଶର କୌଣସି ଅଜଣା ସ୍ଥାନରେ ୩୧ ଜଣ ଭାରତୀୟ ଫସି ରହିଥିବା ଖବର ବି ମିଳିଛି।

Leave a Reply

Your email address will not be published. Required fields are marked *