ସରପଞ୍ଚଙ୍କ ଧାରଣା ସ୍ଥଗିତ; ପାଉଣା ନଦେଲେ ବ୍ଲକ ଅଚଳ କରିବାକୁ ଚେତାବନୀ ।


ଭଣ୍ଡାରିପୋଖରୀ,୨୦/୭: ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରପଞ୍ଚମାନେ ଗତ ଶୁକ୍ରବାର ଠାରୁ ବ୍ଲକ ସମ୍ମୁଖରେ ବକେୟା ଟି.ଏମ.ସି. ପାଊଣା ପୈଠ ଦାବିରେ ଚଳାଇଥିବା ଧାରଣା ମଙ୍ଗଳବାର ସ୍ଥଗିତ ରହିଛି । ମଙ୍ଗଳବାର ସରପଞ୍ଚ ଜଗବନ୍ଧୁ ଦାସ, ବିଜୟ କୁମାର ସ୍ୱାଇଁ, ବିଜୟ ଶଙ୍କର ମହାନ୍ତି, ମନୋଜ କୁମାର ନାୟକ, ସୁବାସ କାଣ୍ଡି, ପ୍ରଶାନ୍ତ କୁମାର ସାହୁ, ମଣିକାଞ୍ଚନ ସେନାପତି, କମଳ କୁମାର ନନ୍ଦ, ଜୟନ୍ତୀ ବେହେରା, କୈଳାସ ଯେନା ପ୍ରମୁଖ ଧାରଣାରେ ବସିବା ସହ ଏଥିନେଇ ପଞ୍ଚାୟତ ସମିତିକୁ ଅଚଳ କରିବାକୁ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏଥିନେଇ ତିନିଦିନ ସମୟ ଦିଆଯାଇ ଧାରଣା ସ୍ଥଗିତ ରଖାଯାଇଛି । ପାଉଣା ପୈଠ କରାନଗଲେ ପଞ୍ଚାୟତ ସମିତି ଅଚଳ କରିବାକୁ ଚେତାବନୀ ଦିଆଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ପ୍ରଥମ ଲହର କରୋନା ସଂକ୍ରମଣ କାଳରେ ସରକାରଙ୍କ ନିର୍ଦ୍ଦେଶରେ ପଞ୍ଚାୟତ ଦ୍ୱାରା ପରିଚାଳିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଟି.ଏମ.ସି. ପାଇଁ ଖର୍ଚ୍ଚ କରାଯାଇଥିବା ଅର୍ଥ ମଧ୍ୟରୁ ବକେୟା ଥିବା ୮,୫୨୪,୪୫୩ ଟଙ୍କା ପୈଠ ପାଇଁ ଏହି ଧରଣା ଦ୍ୱିତୀୟବାର ଅନୁଷ୍ଠିତ ହୋଇଛି । ବ୍ଲକ ଅଞ୍ଚଳରେ ଥିବା ୨୩ ଯାକ ପଞ୍ଚାୟତର ୪୯ ଟି ଟି.ଏମ.ସି. ଅନ୍ତେବାସୀମାନଙ୍କ ଖାଦ୍ୟ, ସାନିଟେସନ, ତକିଆଖୋଳ, ବେଡସିଟ ଆଦି କ୍ରୟ ସହ ଶୌଚକିଟ୍ କ୍ରୟ ଓ ପରିଚାଳନା ଖର୍ଚ୍ଚ ୧,୨୬,୦୮,୯୪୦ଟଙ୍କା ମଧ୍ୟରୁ ମାତ୍ର ୪୦, ୮୪,୪୮୭ ଟଙ୍କା ପୂର୍ବରୁ ପୈଠ କରାଯାଇଛି । ଅବଶିଷ୍ଟ ଅର୍ଥ ପ୍ରଦାନ କରାଯାଇ ନାହିଁ । ଏହି ଦାବିରେ ପ୍ରଥମ ଦଫା ଧରଣା ଦିଆଯାଇଥିଲା । ପନ୍ଦର ଦିନ ମଧ୍ୟରେ ବିଲ୍ ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ପରେ ପ୍ରଶାସନ ଏହାକୁ ଭୁଲିଯାଇଥିଲା ।

Leave a Reply

Your email address will not be published. Required fields are marked *