ଦେଶର ଭାବାବେଗକୁ ବିରୋଧୀ ଅପମାନିତ କରିଛନ୍ତି: ମୋଦି

ଅଜମେର,୧ା୬: ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବକୁ ବିରୋଧୀ ଦଳଗୁଡ଼ିକ ବର୍ଜନ କରି ଦେଶର ଭାବାବେଗ ଏବଂ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୬୦ ହଜାର ଶ୍ରମିକଙ୍କ କଠିନ ପରିଶ୍ରମକୁ ଅପମାନିତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି।
ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନର ଆଜମେରରେ ଏକ ସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ୩ ଦିନ ତଳେ ଭାରତକୁ ଏକ ନୂଆ ସଂସଦ ଭବନ ମିଳିଛି। ଦେଶର ସମ୍ମାନ ବଢ଼ିଥିବାରୁ ଏହାକୁ ନେଇ ସମସ୍ତେ ଗର୍ବିତ ହେବା କଥା। କିନ୍ତୁ କଂଗ୍ରେସ ଓ ଏପରି କିଛି ଦଳ ଏହା ଉପରେ ମଧ୍ୟ ରାଜନୀତି କରିବାକୁ ପଛାଇନାହାନ୍ତି। ଏଭଳି ସୁଯୋଗ ଅନେକ ପିଢ଼ି ପରେ ଆସିଥାଏ। କିନ୍ତୁ କଂଗ୍ରେସ ଏହାକୁ ସ୍ବାର୍ଥପର ବିକ୍ଷୋଭ ପାଇଁ ବ୍ୟବହାର କରିଛି। ଏହି ଦଳ ୮୫% କମିଶନ ନେଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ନିଜ ସରକାର ଅମଳରେ ୧ ଟଙ୍କା ପଠାଇଲେ ହିତାଧିକାରୀମାନଙ୍କ ନିକଟକୁ ମାତ୍ର ୧୫ ପଇସା ପହଞ୍ଚୁଥିଲା ବୋଲି ମୋଦି କହିଛନ୍ତି।
ପ୍ରକାଶ ଯେ, ଗତ ରବିବାର ପ୍ରଧାନମନ୍ତ୍ରୀ ସଂସଦର ନୂଆ କୋଠା ଲୋକାର୍ପଣ କରିଥିବାବେଳେ ଏହି ଉତ୍ସବକୁ କଂଗ୍ରେସ ଓ ଅନ୍ୟ ୨୦ ଦଳ ବର୍ଜନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (ମହିଳା ଆଦିବାସୀ)ଙ୍କ ଦ୍ୱାରା ଲୋକାର୍ପଣ କରାଇବା ଦାବିରେ ସେମାନେ ବିକ୍ଷୋଭ କରିଥିଲେ।

Leave a Reply

Your email address will not be published. Required fields are marked *