ମାଉସୀମାଙ୍କ ପୀଠରେ ପଞ୍ଚକ ମହୋତ୍ସବ ଉଦଘାଟିତ

ପୁରୀ,୨୩/୧୧- ତୀର୍ଥକ୍ଷେତ୍ର ଶ୍ରୀକ୍ଷେତ୍ର । ଧର୍ମମାସ କାର୍ତ୍ତିକ ।କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନର ମହତ୍ତ୍ବ ସର୍ବାଧିକ । ପଞ୍ଚକ ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ଅଜସ୍ର ପୂଣ୍ଯ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଅନାଦି କାଳରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନର ମାହାତ୍ମ୍ୟ ରହିଛି ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି । ଗୁରୁବାର ବଡଦାଣ୍ଡ ବଳଗଣ୍ଡି ସ୍ଥିତ ମାଉସୀମା ମନ୍ଦିର ସମ୍ମୁଖରେ ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ୮ମ ପଞ୍ଚକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଧର୍ମମାସ କାର୍ତ୍ତିକରେ ଏଭଳି କାର୍ଯ୍ୟକ୍ରମ ଦ୍ବାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ । ସମ୍ମାନିତ ଅତିଥି ଭାବେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ଯ ମାଧବ ଚନ୍ଦ୍ର ମହାପାତ୍ର ,ମାଧବ ପୂଜାପଣ୍ଡା ,ବରିଷ୍ଠ ସେବାୟତ ଜଗନ୍ନାଥ ପୂଜାପଣ୍ଡା, ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ଉପସ୍ଥିତ ରହି କାର୍ତ୍ତିକ ମାସ ପଞ୍ଚକର ମାହାତ୍ମ୍ୟ ବିଷୟରେ କହିଥିଲେ । ଅନୁଷ୍ଠାନର କାର୍ଯ୍ଯକାରୀ ଉପାଧ୍ୟକ୍ଷ ଚକ୍ରଧର ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

ପଞ୍ଚକ ମହୋତ୍ସବ କମିଟିର ସଭାପତି ଆର୍ତ୍ତତ୍ରାଣ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ମଧୁସୂଦନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦୋରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜଗନ୍ନାଥ ଦାସ ମହାପାତ୍ର, କାର୍ଯ୍ଯକାରୀ ସଭାପତି ବିରେନ୍ଦ୍ର ଶାସ୍ତ୍ରୀ, କୋଷାଧକ୍ଷ ଗୋପୀନାଥ ମହାନ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ଯ ସଂଯୋଜକ ଜ୍ୟୋତିପ୍ରକାଶ ଜେନା,ତ୍ରିଲୋଚନ ରଥ,ବିଶ୍ବନାଥ ମିଶ୍ର, ରଘୁନାଥ ମହାନ୍ତି ସହଯୋଗ କରିଥିଲେ । ପ୍ରାରମ୍ଭରେ ରାଧାମୋହନ ସଂକୀର୍ତ୍ତନ ଦଳ ପକ୍ଷରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ପ୍ରଶାନ୍ତି ନୃତ୍ଯ ପରିଷଦର ନୃତ୍ଯ ଗୁରୁ ସାଗରିକା ମହାପାତ୍ରଙ୍କ ନିର୍ଦ୍ଦେଶନାରେ ମାହାରୀ ,ସମ୍ବଲପୁରୀ,ଆହେ ନୀଳଶଇଳ ଓ ଓଡିଶୀନୃତ୍ଯ ପରିବେଷଣ କରାଯାଇଥିଲା । ପ୍ରବକ୍ତା ସରୋଜିନୀ ଦେବୀ ହରିକଥା ପ୍ରବଚନ ଶ୍ରୋତାମାନଙ୍କୁ ଶୁଣାଇଥିଲେ । ଶେଷରେ ନବରଙ୍ଗପୁର ଉମରକୋଟର ସୀମାଞ୍ଚଳ ନାହାକ ଓ ଗ୍ରୁପ ଭଜନ ପରିବେଷଣ କରିଥିଲେ । ଭରତ ନାୟକ ମଞ୍ଚ ପରିଚାଳନା କରିଥିଲେ ।