ଚୌକି ଅସଲି ଅଫିସର ନକଲି, ଆର୍ ଆଇ ଙ୍କ ଚୌକିରେ ନକଲି ଆର୍ ଆଇ ।

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ ସାବାଡ କରିବାପାଇଁ ରାଜ୍ୟସରକାର 5T ସଚିବଙ୍କୁ ନିଯୁକ୍ତି ଦେବାସହ ସରକାରୀ କାର୍ଯ୍ୟାଳୟରେ ଚାଲିଥିବା ପିସିକୁ ବନ୍ଦ କରିଛନ୍ତି। ବିନା କୌଣସି ଲାଞ୍ଚକାରବାରରେ ଜନସାଧାରଣମାନଙ୍କୁ ସମସ୍ତ ସରକାରୀ ସେବା ଯୋଗାଇଦେବା ପାଇଁ ନିକଟ ଅତୀତରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଅସ୍ତରଙ୍ଗ ତହସିଲ ଅଧିନ ଅସ୍ତରଙ୍ଗ ରାଜସ୍ଵ ନିରିକ୍ଷକଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଛି। ଏହି କାର୍ଯ୍ୟାଳୟରେ ବିନା ଲାଞ୍ଚରେ ଗଛର ପତ୍ରଟିଏ ବି ହଲେନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ଆର୍ ଆଇ ଙ୍କ ଚୌକିରେ ଜଣେ ନକଲି ଆର୍ ଆଇ ବସି ଲୋକମାନଙ୍କଠାରୁ ଖୁଲୁମଖୋଲା ଲାଞ୍ଚମାଗୁଥିବା ଦେଖିବାକୁ ମିଳିଛି। ଏସବୁ ଘଟଣା ଆର୍ ଆଇ ଦୀପ୍ତିରଞ୍ଜନ ମହାପାତ୍ରଙ୍କ ତତ୍ବାବଧାନରେ ଚାଲିଥିବା ଜାଣିବାକୁ ମିଳିଛି। ଆର୍ ଆଇ ଙ୍କ ଚୌକିରେ ବସୁଥିବା ନକଲି ଆର୍ ଆଇ ଜଣକ ହେଉଛନ୍ତି ଚାରିଛକ ଅଞ୍ଚଳର ମଙ୍ଗରାଜ ସାହୁ ବୋଲି ଜଣାପଡିଛି। ଆର୍ ଆଇ ଦିପ୍ତିରଞ୍ଜନ ମହାପାତ୍ର ଲାଞ୍ଚକାରବାର କରିବାପାଇଁ ଚାରିଛକ ଅଞ୍ଚଳର ଯୁବକ ମଙ୍ଗରାଜ ସାହୁକୁ ନିଜ ଆର୍ ଆଇ ଚୌକିରେ ବସାଇ ଲୋକମାନଙ୍କ ସହ ଲାଞ୍ଚକାରବାର ଡିଲକରିଥାନ୍ତି। ସାଧାରଣ ଛାତ୍ରଛାତ୍ରୀମାନଙ୍କଠାରୁ କାଷ୍ଟ ସାର୍ଟିଫିକେଟ ହେଉ ଅବା ରେସିଡେନ୍ସ କିମ୍ବା ଇନକମ ସାର୍ଟିଫିକେଟ ହେଉ ପ୍ରତ୍ୟେକ ସାର୍ଟିଫିକେଟ ପିଛା 200 ଟଙ୍କାରୁ 300 ଟଙ୍କା ପର୍ଯ୍ୟନ୍ତ ଦାବିକରିଥାନ୍ତି। ସେହିଭଳି ଅସ୍ତରଙ୍ଗ ଆର୍ ଆଇ କାର୍ଯ୍ୟାଳୟ କୁ ଆସିଥିବା ପ୍ରାୟ 100 ରୁ ଅଧିକ ମିୟୁଟେସନ କେଶ ମଧ୍ୟରୁ ମାତ୍ର 10 ଟି ମିୟୁଟେସନ କେଶ ର ଦାଖଲ ଖାରଜ କାର୍ଯ୍ୟ କରିବାପାଇଁ ହିତାଧିକାରୀ ମାନଙ୍କଠାରୁ 5000 ଲେଖାଏଁ ଟଙ୍କା ନେଇ ସେଗୁଡିକର ସମାଧାନ କରିଥିବା ବେଳେ ଅବଶିଷ୍ଟ 100 ଟି ମିୟୁଟେସନ କେଶ ଗୁଡିକୁ ଲାଞ୍ଚ ନପାଇବାରୁ ସେଗୁଡିକୁ ଡ୍ରପ କରିଦେଇଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଗୁଡୁବଣାଇ ଗ୍ରାମର ଟୁଲୁଜେନା ତାଙ୍କର ଏକ ମିୟୁଟେସନ କେସପାଇଁ ଆର୍ ଆଇ ଦୀପ୍ତିରଞ୍ଜନ ମହାପାତ୍ରଙ୍କ ପାଖକୁ ଯାଇଥିବାବେଳେ ତାଙ୍କୁ ଆର୍ ଆଇ ଶ୍ରୀମହାପାତ୍ର ନକଲି ଆର୍ ଆଇ ସଜେଇଥିବା ଯୁବକଙ୍କ ପାଖକୁ ପଠାଇଥିଲେ ଏବଂ ନକଲି ଆର୍ ଆଇ ଜଣକ ତାଙ୍କୁ 5000 ଟଙ୍କା ଲାଞ୍ଚଦେବାପାଇଁ କହିଥିଲେ। 5000 ଟଙ୍କା ଲାଞ୍ଚ କାହିଁକି ଦେବି ବୋଲି ପ୍ରଶ୍ନ ପଚାରିଥିଲେ ଟୁଲୁଜେନା । ଏହାର ଉତ୍ତରରେ ଟଙ୍କା ନଦେଲେ କାମ ହୋଇପାରିବନି ବୋଲି ରୋକଠୋକ ଭାବରେ ମନାକରିଦେଇଥିଲେ ଆର୍ ଆଇ, ଏବଂ ପରବର୍ତ୍ତୀ ସମୟରେ ଲାଞ୍ଚନଦେବାରୁ ଟୁଲୁ ଜେନାଙ୍କ କେଶକୁ ଡ୍ରପକରି ତହସିଲ ଅଫିସକୁ ପଠାଇଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଟୁଲୁ ଜେନା। ସେହିଭଳି ବିଲୁଆମୁଣ୍ଡଳି ଗ୍ରାମର ଗାଲୁମହାନ୍ତି ନାମକ ଜଣେ ଯୁବକଙ୍କଠାରୁ ମିୟୁଟେସନ କେଶ ପାଇଁ ତାଙ୍କଠାରୁ ନକଲି ଆର୍ ଆଇ ଙ୍କ ମାଧ୍ୟମରେ 3000 ଟଙ୍କା ଦାବିକରିଥିଲାବେଳେ ସେ ଲାଞ୍ଚ ନଦେବାରୁ ତାଙ୍କ କେଶକୁ ମଧ୍ୟ ଆର୍ ଆଇ ଦୀପ୍ତିରଞ୍ଜନ ମହାପାତ୍ର ଡ୍ରପ କରିଦେଥିବା ଗାଲୁ ମହାନ୍ତି ଅଭିଯୋଗ କରିଛନ୍ତି। ସେହିଭଳି ଓଲରାଗ୍ରାମର ଅଭୟ ବିଶ୍ଵାଳ ନାମକ ଜଣେ ଯୁବକଙ୍କଠାରୁ ଏକ ଲିଗାଲହେୟାର ସାର୍ଟିଫିକେଟ ପାଇଁ 700 ଟଙ୍କା ଲାଞ୍ଚ ଦାବିକରିଥିବା ଅଭୟ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଦାବୀକରିଛନ୍ତି। ଆର୍ ଆଇ ଙ୍କ ଚୌକିରେ ନକଲି ଆର୍ ଆଇ ଭାବରେ ବସିଥିବା ଯୁବକ ମଙ୍ଗରାଜ ସାହୁ ବିଭିନ୍ନ ସରକାରୀ ନଥିପତ୍ରକୁ ଖେଳାଇ ଏପଟସେପଟ କରୁଥିବାର ଫଟୋ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବାରେ ଲାଗିଛି ।ଉପରୋକ୍ତ ହିତାଧିକାରୀ ମାନଙ୍କ ଅଭିଯୋଗ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ବୁଲୁଥିବା ନକଲି ଆର୍ ଆଇ ଙ୍କ ଫଟୋ ଭାଇରାଲ ହେବାପରେ ଅସ୍ତରଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ମଙ୍ଗଳବାର ଦିନ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଙ୍କୁ ଏଭଳି ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଆର୍ ଆଇ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାସହ ଆର୍ ଆଇ ଙ୍କ ଚୌକି ରେ ବସିଥିବା ନକଲି ଆର୍ ଆଇ କୁ ଗିରଫ କରାଜାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅସ୍ତରଙ୍ଗ ସାମ୍ବାଦିକ ସଂଘର ସଭାପତି ପ୍ରଶାନ୍ତ କୁମାର ବାରିକ ଙ୍କ ତତ୍ତ୍ଵାବଧାନରେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରର ନକଲକୁ ପୁରୀଜିଲ୍ଲା ଜିଲ୍ଲାପାଳ, 5T ସଚିବ, ରାଜସ୍ଵ ସଚିବ, ଓ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରାଯାଇଛି। ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସମୟରେ ଅସ୍ତରଙ୍ଗ ସାମ୍ବାଦିକ ସଂଘର ସମ୍ପାଦକ ଲୋକନାଥ ସ୍ଵାଇଁ, କୋଷାଧ୍ୟକ୍ଷ ସମୀର କୁମାର କର, ବରିଷ୍ଠ ସାମ୍ବାଦିକ ତଥା ଅସ୍ତରଙ୍ଗ ପ୍ରେସ କ୍ଲବର ପରାମର୍ଶଦାତା ଦୁଃଶାସନ ନାୟକ, ନିରଞ୍ଜନ ଦାସ, ଶରତ କୁମାର ପରିଡା, ଆଇନପରାମର୍ଶ ଦାତା ଦିବ୍ୟଦର୍ଶି ବିଶ୍ଵାଳ, ସାମ୍ବାଦିକ ପ୍ରକାଶ କୁମାର ବେହେରା, ଆର୍ଜ ବିଶ୍ଵାଳ, ତ୍ରିଲୋଚନ ବେହେରା, ଆର୍ତ୍ତତ୍ରାଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ଅସ୍ତରଙ୍ଗରୁ ଶରତ କୁମାର ପରିଡା ।

Leave a Reply

Your email address will not be published. Required fields are marked *