ଅନ୍ଧାରରେ ଅଧ୍ଯକ୍ଷାଙ୍କ ଓ୍ବାର୍ଡ ଦୃଷ୍ଟି ଆକର୍ଷଣ କଲେ ସାମ୍ବାଦିକା

*ଦ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ୩ନଂ ଓ୍ବାର୍ଡରେ ଲାଗି ରହିଛି ବିଭିନ୍ନ ମୌଳିକ ସମସ୍ଯା। ବାରମ୍ବାର ଏନେଇ ଦୃଷ୍ଟି ଆକର୍ଷଣ ସତ୍ବେ ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ଆଲୋକ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏହି ଓ୍ବାର୍ଡ ବାସିନ୍ଦା। ସୂଚନା ଅନୁଯାୟୀ ସ୍ଥାନୀୟ ମାଧିପୁର ଛକଠାରୁ ମୁଳିସାହିକୁ ସଂଯୋଗ କରୁଥିବା ରାସ୍ତାର ରାମଚଣ୍ଡୀ ବାଲିବନ୍ତ ଠାରୁ ଗାଗପୁର ମଶାଣି ଯାଏଁ ରାସ୍ତାରେ ଲାଗିଥିବା ଷ୍ଟିଟ ଲାଇଟ ଗୁଡିକ ଦୀର୍ଘ ଦିନ ଧରି ଅଚଳ ହୋଇପଡିଛି। ଏହି ରାସ୍ତା ଦେଇ ୩ନଂ ଓ୍ବାର୍ଡ ସମେତ ଆଖପାଖ ଅଞ୍ଚଳର ଛଅ ଖଣ୍ଡ ଗ୍ରାମର ଜନସାଧାରଣ ଯାତାୟାତ କରନ୍ତି। ଷ୍ଟିଟ ଲାଇଟ ଅଚଳ ଯୋଗୁଁ ଏହି ରାସ୍ତାରେ ଧିରେ ଧିରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସଞ୍ଜ ନଇଁବା ପରେ ଅନ୍ଧାରର ସୁଯୋଗ ନେଇ ରାମଚଣ୍ଡୀ ବାଲିବନ୍ତ ଏବଂ ମୁଳିସାହି ବ୍ରିଜ ଉପରେ ମଦୁଆଙ୍କ ଆସର ଜମୁଛି। ଏନେଇ ବାରମ୍ବାର ଏନ୍ଏସି ଅଧିକାରୀ ଏବଂ ଅଧ୍ଯକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଏନେଇ ବୁଧବାର ସାମାଜିକ କର୍ମୀ ତଥା ସାମ୍ବାଦିକା ରିତାରାଣୀ ସେଠ୍ ଅଧ୍ଯକ୍ଷାଙ୍କୁ ସାକ୍ଷାତ କରି ଉକ୍ତ ସମସ୍ୟାକୁ ଲିଖିତ ଭାବେ ଉପସ୍ଥାପନ କରିଛନ୍ତି। ଉକ୍ତ ସମସ୍ୟା ସମ୍ପର୍କରେ ଏନ୍ଏସି ଅଧ୍ଯକ୍ଷାଙ୍କୁ ପଚାରିବାରୁ ଏହି ସବୁ ଷ୍ଟିଟ ଲାଇଟର ଦେଖାଶୁଣା କାର୍ଯ୍ୟ ଗ୍ରିନଫିଲ୍ଡ ନାମକ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିବା ବେଳେ ଉକ୍ତ ସଂସ୍ଥାର ଅବଧି ଶେଷ ହୋଇ ଯାଇଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଏବଂ ସେ ଏହି ବିଷୟରେ ଅବଗତ ଅଛନ୍ତି ବୋଲି ଜଣାଇଛନ୍ତି। ଖୁବ୍ ଶୀଘ୍ର ଏହି ସମସ୍ଯାର ସମାଧାନ ହେବ ବୋଲି ସେ କହିଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହା ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *