ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର: ଛାତ୍ର ବିଜେଡ଼ି।

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଖୋଲିବା ସହ ନବମ ଓ ଦଶମ ଶିକ୍ଷା କ୍ଷେତ୍ରରେ ନୂତନ ଢାଞ୍ଚାର ବ୍ୟବସ୍ଥାକୁ ସ୍ଵାଗତ ଜଣାଇଲା ବିଜୁ ଛାତ୍ର ଜନତା ଦଳ।ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୨୬ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ନବମ ଓ ଦଶମ ଶ୍ରେଣୀର ଶିକ୍ଷାକୁ ଗୁରୁତ୍ବ ଦେବା ସହ ଏହି ଶ୍ରେଣୀ ଗୁଡିକରେ ନୂତନ ଢାଞ୍ଚାର ପରୀକ୍ଷା ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି। ତତ୍ ସହିତ ବିଦ୍ୟାଳୟ ଗୁଡ଼ିକ ଖୋଲିବା ପୂର୍ବରୁ ସାନିଟାଇଜେସନ୍ ସହ ବିଦ୍ୟାଳୟ ଗୁଡ଼ିକ ରେ ସମସ୍ତ କୋଭିଡ ନିୟମ ମାନିବା ସହ ଥର୍ମାଲ ସ୍କ୍ରିନ୍ ଓ ମାସ୍କ କୁ ବାଧ୍ୟତାମୂଳକ କରାଯାଇଛି। ଯଦି କରୋନା ପରିସ୍ଥିତି ନିୟନ୍ତ୍ରଣାଧୀନ ରହେ ତେବେ ଅଗଷ୍ଟ ୧୬ ରୁ ନବମ ଏବଂ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାର ଯୋଜନା ରହିଛି। ନବମ ଓ ଦଶମ ଶ୍ରେଣୀ ପାଇଁ ଆସେଶମେଣ୍ଟ ପରୀକ୍ଷା କରାଯିବା ସହ ୪ଟି ଫର୍ମେଟିଭ୍ ଓ ୨ଟି ସବମେଟିଭ୍ ପରୀକ୍ଷା କରାଯିବାର ନିଷ୍ପତ୍ତି ମଧ୍ୟ ନିଆଯାଇଛି। ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ସ୍ବାର୍ଥ ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଠିକ୍ ସମୟରେ ଏହି ସମସ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ସମସ୍ତ ସମାେୟଚିତ୍ ପଦକ୍ଷେପକୁ ସ୍ୱାଗତ ଜଣାଯାଇଛି। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଖୋଲିବା ଏବଂ ନବମ ଓ ଦଶମ ଶ୍ରେଣୀରେ ନୂତନ ଢାଞ୍ଚାରେ ପରୀକ୍ଷା କରିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ସ୍ବାଗତଯୋଗ୍ୟ , ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟି ଦେଇ ବିଦ୍ୟାଳୟ ବନ୍ଦ କରିବା, ଏବଂ ବର୍ତ୍ତମାନ କୋଭିଡ୍ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଶିକ୍ଷାକୁ ଗୁରୁତ୍ବ ଦେଇ ବିଦ୍ୟାଳୟ ଖୋଲିବା ଏହା ହିଁ ପ୍ରମାଣ କରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଛାତ୍ର ଛାତ୍ରୀମାନଙ୍କ ପ୍ରତି ଥିବା ଉଦବେଗ।ଏଣୁ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସରକାରଙ୍କ ଏହି ଉଚିତ୍ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ କୃତଜ୍ଞତା ଜଣାଇଛି।

Leave a Reply

Your email address will not be published. Required fields are marked *