ଗ୍ରାମ୍ୟ ରାସ୍ତାରେ ଜମି ରହୁଛି ଆଣ୍ଠୁଏ ପାଣି, ଡ୍ରେନ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ନିବେଦନ।

କାକଟପୁର,୨୪/୭- କାକଟପୁର ବ୍ଲକ ଅଧୀନ ବାଲିଦୋକାନ ବଜାରଠାରୁ ଚିତ୍ରେଶ୍ୱରୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାର ରଇତିସାହି ଗ୍ରାମ ମଝିରେ ଆଣ୍ଠୁଏ ପାଣି ଜମା ହୋଇ ରହିଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଅତ୍ୟଧିକ ପାଣି ଜମିବା ଓ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏପରି ପାଣି ଦୀର୍ଘ ଦିନ ଧରି ଜମି ରହୁଥିବା ଦେଖିବାକୁ ମିଳୁଛି। ଏହି ରାସ୍ତା ରଇତିସାହି ଗ୍ରାମର ମଝିରେ ଥିବାରୁ ବ୍ୟକ୍ତିଗତ ଜାଗାରେ ଲୋକ ଘର କରିବା ସହ ପୋତାପୋତି କରିବା ଯୋଗୁଁ ପାଣି ନିଷ୍କାସନ ହୋଇ ପାରୁନାହିଁ। ଏଠାରେ ଖାଲୁଆ ଥିବାରୁ ବର୍ଷା ପାଣି ଜମି ପରିବେଶ ଦୁର୍ଗନ୍ଧ ମୟ କରିବା ସହ ଯାତାୟାତ କରୁଥିବା ହଜାର ହଜାର ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରିକି ନିକଟରେ ଏକ ପରିତ୍ୟକ୍ତ ପୋଖରି ଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏହି ରାସ୍ତା ବାଲିଦୋକାନ ବଜାରରୁ ତଣ୍ଡାହାର ଗ୍ରାମ ପର୍ଯ୍ୟନ୍ତ ଯାଇଛି। ଯାହାକି ଏହି ରାସ୍ତା ଉପରେ ୨୦ ଖଣ୍ଡ ଗ୍ରାମର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରନ୍ତି। ତା ସହିତ ପାଣି ଜମିବାରୁ ରଇତିସାହି ଗ୍ରାମରେ ପରିବେଶ ଦୂଷିତ ଓ ଦୁର୍ଗନ୍ଧ ହେବା ସହ ନାନାଦି ଜଳବାହିତ ରୋଗ ହେବାର ଆଶଙ୍କା ଦେଖା ଦେଇଛି। ତେଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାରେ ଡ୍ରେନେଜ୍ ନିର୍ମାଣ ବ୍ୟବସ୍ଥା କରି ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସାମାଜିକ କର୍ମୀ ରଞ୍ଜନ ବିଶ୍ଵାଳଙ୍କ ସହ ନିକଟ ଅଞ୍ଚଳର ଗ୍ରାମବାସୀମାନେ ପୁରୀ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।