ଐତିହ୍ୟ ସ୍ଥଳୀରେ ମାଗଣା ବୁଲିବେ ପର୍ଯ୍ୟଟକ
କୋଣାର୍କ,୦୫/୦୮- ଭାରତ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା “ଆଜାଦି କା ଅମୃତ ମହୋତ୍ସବ” ପାଳନ କରାଯାଉଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଅଗଷ୍ଟ ୫ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଐତିହ୍ୟ ସ୍ଥଳୀରେ ପର୍ଯ୍ୟଟକ ମାନେ ମାଗଣା ବୁଲିବେ ବୋଲି ଘୋଷଣା କରାଯାଇଛି। ଦେଶରେ ଥିବା ସମସ୍ତ ଐତିହ୍ୟ ସ୍ଥଳୀରେ କୌଣସି ପ୍ରକାର ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହି କ୍ରମରେ ଓଡ଼ିଶାର ଅନ୍ୟତମ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଅନେକ ଐତିହ୍ୟ ସ୍ଥଳୀରେ ପର୍ଯ୍ୟଟକ ମାନେ ମାଗଣା ବୁଲି ମଜା ନେଇ ପାରିବେ ବୋଲି ମଧ୍ୟ ସୂଚନା ମିଳିଛି। ଯାହା ଫଳରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଉପକୃତ ହୋଇପାରିବେ। ଏହା ଦ୍ୱାରା ସ୍ଵାଧୀନତା ଦିବସ ଅବସରରେ ଅନେକ ପର୍ଯ୍ୟଟକ ସେମାନଙ୍କ ପରିବାର, ବନ୍ଧୁ ଓ ପରିଜନଙ୍କ ସହ ଅଧିକରୁ ଅଧିକ ସଂଖ୍ୟାରେ ବୁଲିବାକୁ ଆସିପାରିବେ। ଏନେଇ ପର୍ଯ୍ୟଟକ, ଗାଇଡ ଓ ଫଟୋ ଆସୋସିଏସନ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରାଯାଇଛି।