ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଉଦଘାଟିତ

ଉଦଳା ୦୬/୦୬ – ଉଦଳା ବରିଷ୍ଠ ନାଗରିକ ସଂଘ ସଭା ମଣ୍ଡପରେ ଶୁକ୍ରବାର ଦିନ ନିରାମୟ ସ୍ୱାସ୍ଥ୍ୟ ସେବାର ଯତ୍ନ ଓ ନିରାକରଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ସକାଳ ୯ ଘଟିକା ସମୟରେ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀକାନ୍ତ ପତି, ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବରିଷ୍ଠ ବିଶେଷଜ୍ଞ ଡା.ଭାଗବତ ବେହେରା, ବିଜେପି ପୂର୍ବ ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲା ସମାଜ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏହି ନିରାମୟ ସ୍ୱାସ୍ଥ୍ୟ ସେବାର ଯତ୍ନ ଓ ନିରାକରଣ ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ପ୍ରଥମେ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ମୋଟ ୧୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସେହିଭଳି ଭାବେ ସ୍ୱାସ୍ଥ୍ୟ ସେବାର ଯତ୍ନ ନିମନ୍ତେ ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କର ନାମ ପଞ୍ଜିକରଣ କରାଯାଇ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ମଧୁମେହ, ହୃଦରୋଗ ପରୀକ୍ଷା ସମେତ ବିଭିନ୍ନ ପ୍ରକାର ରୋଗ ନିମନ୍ତେ ରକ୍ତ ପରୀକ୍ଷା କରାଯାଇଥିଲା । ପ୍ରାୟ ଶତାଧିକ ବରିଷ୍ଠ ନାଗରିକ ମହିଳା ପୁରୁଷଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ବରିଷ୍ଠ ନାଗରିକ ସଂଘର ଉପସଭାପତି ଅବସରପ୍ରାପ୍ତ ଡା. ସଚ୍ଚିଦାନନ୍ଦ ପରିଡା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିର ଶନିବାର ମଧ୍ୟ ଚାଲୁ ରହିବ ବୋଲି ସଂଘର ସଦସ୍ୟ ଉପେନ୍ଦ୍ର ପୁହାଣ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *