ଦୁଇ ଅପହୃତା ଉଦ୍ଧାର,୧୦ ଅପହରଣକାରୀ ଗିରଫ

ବାଲିଗୁଡ଼ା: ଦୁଇଜଣ ଅପହୃତାଙ୍କୁ ଉଦ୍ଧାର କରିବା ସହ ୧୦ ଜଣ ଅପହରଣକାରୀଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ୍ । ଏଥିସହିତ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଓ ଗୋଟିଏ ଇନୋଭା କାର୍ କୁ ମଧ୍ୟ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲ୍ ।
ଘଟଣା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ବୁଡାଗୁଡ଼ା ଛକରୁ ଫିଲ୍ମ ଷ୍ଟାଇଲରେ ଦୁଇଟି ଗାଡ଼ିରେ ଆସି ଜନ ଗହଳି ପୂର୍ଣ୍ଣ ସ୍ଥାନରୁ ଦୁଇଜଣ ମାଂସ ବ୍ୟବସାୟୀଙ୍କୁ ଅପହରଣ କରିନେଇଥିଲେ ଅପହରଣକାରୀ । ଏହା ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ବାଲିଗୁଡ଼ା ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶକ୍ରମେ ପାଞ୍ଚୋଟି ଥାନା ଅଧିକାରୀ ସ୍ବତନ୍ତ୍ର ଟିମ୍ ଗଠନ କରି ପାଞ୍ଚୋଟି ସ୍ଥାନରେ ନାକା କରି ଅପହରଣକାରୀଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ୍ । ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଗାଡ଼ିକୁ ପ୍ରଥମେ କ.ନୁଆଗାଁ ଥାନା ଅଞ୍ଚଳରୁ ପୋଲିସ୍ କାବୁ କରିଥିବା ବେଳେ ଅଧା ରାସ୍ତାରେ କୌଣସି ପ୍ରକାରେ ଦୁଇ ଅପହୃତା ଇନୋଭା କାର୍ ରୁ ଡେଇଁ ପଡ଼ିଥିଲା । ପିଛା କରୁଥିବା ପୋଲିସ୍ ଉଭୟଙ୍କୁ ଉଦ୍ଧାର କରିବା ସହ ରାଇକିଆ ନିକଟରେ ଇନୋଭା କାର୍ ସହ ଅପହରଣକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍। ଉଦ୍ଧାର ହୋଇଥିବା ଦୁଇ ଅପହୃତା ବାଲିଗୁଡ଼ା ହାଟପଦା ସାହିର ମାଂସ ବ୍ୟବସାୟୀ ପଣ୍ଡିତ ମାଝୀ ଓ ହେମନ୍ତ ଗଣ୍ଡା ହୋଇଥିବା ବେଳେ ଏଯାବତ୍ ଅପହରଣର ପ୍ରକୃତ କାରଣ ଜଣାପଡ଼ିନାହିଁ । ସେପଟେ ସମସ୍ତ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ହୋଇଥିବା ପୋଲିସ୍ ପକ୍ଷରୁ ସୁଚନା ।