ମିଳିତ ଜାତିସଂଘ ସମ୍ମିଳନୀରେ ମତ ରଖିଲେ କୃଷି ସଚିବ

ସଦ୍ୟସମାପ୍ତ ମିଳିତ ଜାତିସଂଘର ବାର୍ଷିକ ଜଳବାୟୁ ସମ୍ମିଳନୀ ସିଓପି ୨୮ରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ବୈଶ୍ୱିକ ଦର୍ଶକଙ୍କ ସମ୍ମୁଖରେ କୃଷି ଓ ଖାଦ୍ୟ ପ୍ରଣାଳୀରେ ରୂପାନ୍ତର ସଂପର୍କରେ ଏକ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି । ପୁନରୁତ୍ପାଦନକ୍ଷମ କୃଷି ଏବଂ ପୋଷଣୀୟ ବୃଦ୍ଧି କିପରି କୃଷି କ୍ଷେତ୍ରରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକର ସଠିକ୍ ମୁକାବିଲା କରିପାରିବା ଦିଗରେ ସକ୍ଷମ ସେ ସଂପର୍କରେ ଦୃଢ଼ ମତପୋଷଣ କରିଥିଲେ । ଡ. ପାଢ଼ୀ ଜଳବାୟୁ ସହନଶୀଳ ଓ ପୁଷ୍ଟିଶସ୍ୟ ମିଲେଟସ୍କୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟସ୍ ମିଶନ ଓ ଏହାର ସମାବେଶୀ ଦୃଷ୍ଟିକୋଣର ଉଦାହରଣ ଦେଇଥିଲେ । ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ନୀତିନିର୍ଦ୍ଧାରକ, କୃଷି ବିଜ୍ଞାନୀ, ସେ୍ୱଚ୍ଛାସେବୀ ସଂଗଠନ, ଶିକ୍ଷାବିତ୍ ପ୍ରମୁଖ ଓଡ଼ିଶାର ଏହି ଉଲ୍ଲେଖନୀୟ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ।
ସୂଚନାଯୋଗ୍ୟ ଯେ ଡ. ପାଢ଼ୀ ନିଜେ ଜଣେ କୃଷି ବିଜ୍ଞାନୀରୁ ସିଭିଲ ସର୍ଭାଣ୍ଟ ହୋଇଛନ୍ତି । କୃଷିରେ ଡକ୍ଟରେଟ ହାସଲ କରିବା ପରେ ଡ. ପାଢ଼ୀ ଯୁକ୍ତରାଜ୍ୟ ଇଂଲଣ୍ଡର ବର୍ମିଂହାମ୍ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଗବେଷଣା ପାଇଁ ପରିବର୍ତ୍ତନଶୀଳ ଜଳବାୟୁରେ କୃଷି ନୀତି ଉପରେ ଗବେଷଣା କରିଥିଲେ ।
ଜାତିସଂଘର ଏହି ମହତ୍ତ୍ୱପୂର୍ଣ୍ଣ ଅଧିବେଶନରେ ଡ. ପାଢ଼ୀ ଏହି ଉପସ୍ଥାପନା ରାଜ୍ୟ ସରକାରଙ୍କ ବିଭିନ୍ନ ପରିବେଶଜନିତ ନୀତି ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଛି । ଡ. ପାଢ଼ୀ ବିଭାଗର ସମସ୍ତ ଅଧିକାରୀ ଏବଂ ଅଂଶୀଦାରମାନଙ୍କୁ ଦଳଗତ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଜଣାଇଛନ୍ତି ।