ମେଇତିଙ୍କୁ ଏସ୍‌ଟି ମାନ୍ୟତା ବିରୋଧରେ ସୁପ୍ରିମକୋର୍ଟ ଗଲେ ଭାଜପା ବିଧାୟକ

ନୂଆଦିଲ୍ଲୀ, ୮ା୫: ମଣିପୁର ସ୍ଥିତିକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଛି। ମେଇତି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଭାଜପା ବିଧାୟକ ତଥା ପାର୍ବତ୍ୟାଞ୍ଚଳ କମିଟି (ଏଚ୍‌ଏସି) ଅଧ୍ୟକ୍ଷ ଦିଙ୍ଗାଙ୍ଗଲୁଙ୍ଗ ଗଙ୍ଗମେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଣିପୁର ହିଂସାର ଏସ୍‌ଆଇଟି ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ମଣିପୁର ଟ୍ରାଇବାଲ ଫୋରମ ପକ୍ଷରୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ସୋମବାର ପିଟିଶନଗୁଡ଼ିକର ଶୁଣାଣି ହେବ।
ମେଇତିମାନଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ଲାଗି ଗତ ମାର୍ଚ୍ଚ ୨୭ରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ଚୁରାଚାନ୍ଦପୁର ଜିଲାରେ ଗତ ବୁଧବାର ଅନ୍ୟ ଆଦିବାସୀ ସମ୍ପ୍ରଦାୟ ବିକ୍ଷୋଭକୁ ଓହ୍ଳାଇଥିଲେ, ଯାହା ହିଂସାତ୍ମକ ରୂପ ନେଇଥିଲା। ଗଙ୍ଗମେଇଙ୍କ କହିବା ଅନୁଯାୟୀ, ମେଇତିମାନଙ୍କୁ ଏସ୍‌ଟି ମାନ୍ୟତା ପ୍ରଦାନ ଲାଗି ହାଇକୋର୍ଟ ନିଷ୍ପତ୍ତି ନେବା ବେଳେ ଏଚ୍‌ଏସିକୁ ପକ୍ଷ ଭାବେ ଗ୍ରହଣ କରି ନ ଥିଲେ। ଏପରିକି ହାଇକୋର୍ଟ ଏଚ୍‌ଏସିକୁ ନୋଟିସ ନ କରି ମେଇତିମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଉଭୟ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନାରୁ ହିଂସାକାଣ୍ଡ ଘଟି ୧୯ ଆଦିବାସୀଙ୍କ ଜୀବନ ଗଲା ବୋଲି ଗଙ୍ଗମେଇ କହିଛନ୍ତି।

Leave a Reply

Your email address will not be published. Required fields are marked *