କାଦୁଅ ପଚ ପଚରେ ଅସହାୟ ପରିବା ବିକ୍ରେତା

କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଦୈନିକ ପରିବା ବ୍ୟବସାୟୀ ଓ ଦୂର ଦୂରାନ୍ତରୁ ଆସୁଥିବା ଚାଷୀ ମାନେ ବଜାରରେ ବସିବାକୁ ସ୍ଥାନ ନପାଇ ଅତ୍ୟନ୍ତ ଅସହାୟ ଭାବେ ବସଷ୍ଟାଣ୍ଡ ନିକଟସ୍ଥ ବିଜୁ ପଟ୍ଟନାୟକ ଜାତୀୟ ରାଜପଥ ନଂ ୨ ପାର୍ଶ୍ବରେ ବସି ବିକ୍ରିବଟା କରୁଥିବା ନଜିର ହୋଇଛି । ସଂମ୍ପୃକ୍ତ ରାଜପଥରେ ରଣାଶାଳ ଠରୁ ବଜାର ମଧ ଦେଇ କମାରଯୋଡା। ଗୋଷ୍ଠୀ। ସ୍ବାସ୍ଥ୍ୟ କେନ୍ଦ୍ର ପର୍ୟ୍ୟନ୍ତ ଦୀର୍ଘ ୪.୬ କିମି ବ୍ୟବଧାନରେ ଏକ ଫ୍ଲାଇ ଓଭର ରୋଡ ନିର୍ମାଣାଧୀନ ରହିଛି । ଠିକାଦାର ର ମନମୁଖୀ ଓ ଯୋଜନା ବିହିନ କାର୍ୟ୍ୟ ଯୋଗୁଁ ନିର୍ମାଣ କାର୍ୟ୍ୟ ଖୁବ୍ ମନ୍ଥର ଗତିରେ ଚାଲିଥିବା ବେଳେ ସର୍ଭିସ୍ ରୋଡ ନଥିବାରୁ ନିର୍ମାଣଧନୀ ରାସ୍ତା ତମାମ କାଦୁଅ ପଚ ପଚ ସାଙ୍ଗକୁ ଦୈନିକ ବଜାର ମଧ୍ୟରେ ସ୍ଥାନ ନପାଇ ରାସ୍ତାକଡ଼ରେ ବସି ପରିବା ବିକୁଥିବା ଚାଷୀ ଓ ବ୍ୟବସାୟୀ ବର୍ଷା କାଦୁଅରେ ହନ୍ତସନ୍ତ ହେଉଛନ୍ତି । ପ୍ରତିଦିନ ଯୋଡାକୁ ବିଭିନ୍ନ ଅଞ୍ଚଳର କୃଷକ ମାନେ ନିଜର ଉତ୍ପାଦିତ ପନିପରିବା ନେଇ କାଦୁଅ ଭର୍ତ୍ତି ଫୁଟଫାଥରେ ବସି ବିକ୍ରି କରୁଛନ୍ତି । ଋତୁ ଅନୁସାରେ ବାଡିରୁ ଯେଉଁ ପରିବା ବାହାରେ ତାହାକୁ ଆଣି ଯୋଡା ହାଟରେ ବିକ୍ରି କରିଥାନ୍ତି । ପରିବା ବିକ୍ରି ନିମନ୍ତେ ବସିବା ସୁବିଧା ନଥିବା ହେତୁ ନାନା ହଇରାଣରେ ସମ୍ମୁଖୀନ ହେଛନ୍ତି ଏହି ପରିବା ବ୍ୟବସାୟୀ ମାନେ । ବିଜୁ କୃଷକ ବଜାର ନାମରେ ରାଜ୍ୟ ବ୍ୟାପି ବ୍ୟବସାୟ ସ୍ଥଳ ସୃଷ୍ଟି ହୋଇଥିବା ବେଳେ ଯୋଡା ପୌରାଞ୍ଚଳରେ ତହା ଏଯାବତ କାର୍ୟ୍ୟକାରୀ ହୋଇପାରି ନାହିଁ । ସମସ୍ତ ପରିବା ବିକ୍ରେତାଙ୍କୁ ବଜାର ମଧ୍ୟରେ କୌଣସି ସ୍ଥାନ ମିଳିନଥିବା ବେଳେ ସେମାନଙ୍କ ଠାରୁ ନିତିଦିନ ମାସୁଲ ଆଦାୟ କରାଯାଉଛି । ନାରଦପୁରରୁ ଆସିଥିବା ଚାଷୀ ଆରତୀ ମହାନ୍ତ ତାଙ୍କ ପ୍ରତିକ୍ରିୟାରେ କହନ୍ତି ବର୍ଷାଦିନେ କାଦୁଅ, ଆବର୍ଜନା ସହ ନିର୍ମାଣାଧୀନ ରାସ୍ତା କଡରେ ଗାଡି ମଟରର ଧୂଳି ଧୂଆଁ ପରିବେଶରେ ଆମେ ବିପଦ ସଂକୁଳ ଅବସ୍ଥାରେ ବସି ପରିବା ଯୋଗାଇ ଆସିଅଛୁ । ତଥାପି ଆମ କଥା କେହି କର୍ଣ୍ଣପାତ୍ର କରୁନାହାନ୍ତି । ଅନେକଥର ଏ ବାବଦରେ ଯୋଡା ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଧା ଆମର କୌଣସି ସୁବ୍ୟବସ୍ଥା ଏଯାଏ ହୋଇ ପାରିନାହିଁ । ଗ୍ରାହକ ଓ ଉପଭୋକ୍ତା ମାନେ ମଧ୍ୟ ଏହି କାଦୁଅ ରାସ୍ତାରେ ଗୋଡି ଖସି ପଡି ଯାଉଥିବା ବେଳେ ଏଭଳି ପରିବେଶ ଦେଖି ଆଖିଫେରାଇ ନେଉଥିବା ସ୍ଥାନୀୟ ବାସିନ୍ଦା ବିଦେଶୀ ଗିରି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହାର ସୁବିଚାର ପୂର୍ବକ ପୌର ପ୍ରଶାସନ ସେମାନଙ୍କୁ ସବୁଦିନ ପାଇଁ ସ୍ଥାୟୀ ଭାବେ ଏକ କମ୍ପ୍ଲେକ୍ସ ଯୋଗାଇ ଦେବାକୁ ଦାବି କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *