ଅମିତ ଶାହାଙ୍କ ମଣିପୁର ଗସ୍ତ ପୂର୍ବରୁ ହିଂସା, ଜଣେ ପୋଲିସ କର୍ମୀଙ୍କ ସମେତ ୫ ମୃତ

ଇମ୍ଫାଲ,୨୯।୫: ମଣିପୁରରେ ହିଂସା ଥମିବାର ନାଁ ନେଉନି। ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଣିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ରବିବାର ରାଜ୍ୟରେ ଭିନ୍ନ ଭିନ୍ନ ଘଟଣାକୁ ନେଇ ପୁଣି ହିଂସା ଉପୁଜିଛି। ଏହି ହିଂସାରେ ଜଣେ ପୋଲିସ କର୍ମୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୧୨ ଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ମାସରେ ମଣିପୁରରେ ଜାତିଗତ ହିଂସାରେ ଅତି କମରେ ୮୦ଜଣଙ୍କର ମୃତ୍ୟୁ ଘଟିଥିଲା। ରବିବାର (ମେ ୨୮) ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ବୟାନ ଜାରି କରି କହିଛନ୍ତି ଯେ ତାଙ୍କୁ ମିଳିଥିବା ରିପୋର୍ଟ ଅନୁଯାୟୀ, ହିଂସାରେ ୪୦ ଜଣ ଆତଙ୍କବାଦୀ ନିହତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ବିରୋଧରେ ଏମ-୧୬ ଏବଂ ଏକେ-୪୭ ଆକ୍ରମଣକାରୀ ରାଇଫଲ ଏବଂ ସ୍ନାଇପର ବନ୍ଧୁକ ବ୍ୟବହାର କରୁଥିଲେ। ସେମାନେ ଅନେକ ଗାଁରେ ଘର ଜାଳିବାକୁ ଆସିଥିଲେ। ସେନା ତଥା ଅନ୍ୟ ସୁରକ୍ଷା ବାହିନୀ ସହାୟତାରେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଯେଉଁଥିରେ ପ୍ରାୟ ୪୦ ଆତଙ୍କବାଦୀ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *