ଜି୨୦ ସଂସ୍କୃତି ପ୍ରତିନିଧି ଦଳଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
![](https://teerthkhetra.com/wp-content/uploads/2023/05/IMG-20230516-WA0041-1024x576.jpg)
କୋଣାର୍କ,୧୬.୦୫- ବିଶ୍ଵ ଐତିହ୍ୟ ସୂର୍ଯ୍ୟ ମନ୍ଦିରକୁ ମଙ୍ଗଳବାର ସଂଧ୍ୟାରେ ଜି୨୦ ସଂସ୍କୃତି ବିଭାଗ ପ୍ରତିନିଧି ଦଳ ବୁଲି ଦେଖିଥିଲେ। ୨୦ଟି ଦେଶର ୩୭ ଜଣ ଜି୨୦ ପ୍ରତିନିଧି ମାନେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଠାରେ ପହଂଚିବା ପରେ ଆଇଓସିଏଲ୍ ନିକଟରେ ଜିଲ୍ଲା ପ୍ରଶାସନ, ଏଏସଆଇ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡିଶା ପରମ୍ପରା ଅନୁସାରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ଏହି ଗ୍ରସ୍ତରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିନିଧି ମାନଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।
![](https://teerthkhetra.com/wp-content/uploads/2023/05/IMG-20230516-WA0040-1024x576.jpg)
ଏଏସଆଇ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବୀକୃତିପ୍ରାପ୍ତ ଗାଇଡ ମାନେ ମନ୍ଦିର ଇତିହାସ ଓ ସୂକ୍ଷ୍ମ କାରୁକାର୍ଯ୍ୟ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିଦେଶୀ ପ୍ରତିନିଧି ମାନେ ଅଭିଭୂତ ହୋଇପଡିଥିଲେ। ସୂର୍ଯ୍ୟମନ୍ଦିର ପରିସରରେ ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା ଯାହା ପ୍ରତିନିଧି ମାନଙ୍କୁ ମନୋରଞ୍ଜନ ଯୋଗାଇଥିଲା। ପରେ ପରେ ଶବ୍ଦ ଓ ଆଲୋକ ମାଧ୍ୟମରେ କୋଣାର୍କ ମନ୍ଦିର ଇତିହାସ ଗାଥା ଦେଖି ଫେରିଥିଲେ। ଏହି କାର୍ଯ୍ୟକ୍ରମରେ ଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଟ ଦିବିସ୍ମିତା ବ୍ରଜସୁନ୍ଦର ଗଡ଼ନାୟକ, ଅତିରିକ୍ତ ଏସପି ପୂର୍ଣଚନ୍ଦ୍ର ପ୍ରଧାନ, ଏଏସଆଇ ସୁପରିଟେଣ୍ଡେଟ ଇଂଜିନିୟର ଚିତରଞ୍ଜନ ଦାଶ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, କୋଣାର୍କ ଆଇଆଇସି ରଂଜନ କୁମାର ମଲ୍ଲିକ ଓ ବିଭିନ୍ନ ବିଭାଗୀୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।