ଶାନ୍ତି ପାଇଁ ଯୁଦ୍ଧର ଆବଶ୍ୟକତା ଥାଏ : ଛତିଶଗଡ଼ ରାଜ୍ୟପାଳ

ପୁରୀ: ଶାନ୍ତି ପାଇଁ ଯୁଦ୍ଧର ଆବଶ୍ୟକତା ଥାଏ ଯାହାର ପ୍ରମାଣ ମହାଭାରତ ବୋଲି କହିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଆଜି ଅପରାହ୍ନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ପକ୍ଷରୁ ଉତ୍କଳୀୟ ସଂସ୍କୃତି ଓ ଶ୍ରୀଜଗନ୍ନାଥ ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ୱର ସଂସ୍କୃତି ଓ ମାନବ ସମାଜ ଥିବା ଯାଏଁ ଏହା ସମସ୍ତଙ୍କୁ ଉଦବୁଦ୍ଧ କରି ଚାଲିଥିବ ବୋଲି କହିଥିଲେ। ବହୁ ଘାତ ପ୍ରତିଘାତ ମଧ୍ୟରେ ମଧ୍ୟ ଜଗନ୍ନାଥ ସଂସ୍କୃତି ତିଷ୍ଠି ରହିଛି ଓ ମାର୍ଗଦର୍ଶନ କରାଉଛି। ଦେଶ ଦେଶ ମଧ୍ୟରେ ଯୁଦ୍ଧ ବେଳେ ଭାରତ ଶାନ୍ତି ପାଇଁ ଯେଉଁ ଉଦ୍ୟମ କରୁଛି ତାହା ବିଶ୍ୱର ବଡ ବଡ ଦେଶ ମଧ୍ୟ ପ୍ରଶଂସା କରିଛନ୍ତି।ପାରମ୍ପରିକ ସେବା କୁ ଅକ୍ଷୂର୍ଣ୍ଣ ରଖି ଶ୍ରୀମନ୍ଦିର ର ଅନେକ ସଂସ୍କାର ହୋଇଛି ।
ତେବେ ଠାକୁରଙ୍କ ନିତିକାନ୍ତି ବିଭ୍ରାଟ ନ ହେବାକୁ ସେବାୟତମାନେ ସଂକଳ୍ପ ନେବା ଉଚିତ ବୋଲି ସେ କହିଥିଲେ। ପାଇକ ଏକ ଜାତି ନୁହେଁ ଏହା ଏକ ପଦାତିକ ସେନା ଓ ସମଗ୍ର ଓଡ଼ିଆ ଜାତି ଏଥିରେ ସାମିଲ ବୋଲି ସେ କହିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ କୁଳପତି ଡଃ ହରେକୃଷ୍ଣ ଶତପଥୀ ଜଗନ୍ନାଥ ସଂସ୍କୃତିର ମହାନ ପରମ୍ପରା, ସତ୍ୟ, ଶାନ୍ତି, ଅହିଂସାର ଅନନ୍ୟ ଉଦାହରଣ, ଭାତୃ ଓ ଭଗ୍ନୀ ସମନ୍ୱୟ ର ଅପୂର୍ବ ନିଦର୍ଶନ, ସମଗ୍ର ବିଶ୍ୱକୁ ଜଗନ୍ନାଥ ତତ୍ୱ ଓ ସଂସ୍କୃତି ର ଅବଦାନ ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ଭରତୀୟ ଚାରିଟେବୁଲ ଟ୍ରଷ୍ଟ ଓଡିଶା ର ଅଧ୍ୟକ୍ଷ ଡଃ କିଶନଲାଲ ଅଗ୍ରୱାଲ, ବରିଷ୍ଠ ସେବାୟତ ଭଗବାନ ସୁଆର,ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡଃ ମୁରଲୀ ମନୋହର ଶର୍ମା ପ୍ରମୁଖ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାସ ଅଧ୍ୟକ୍ଷତା କରିଥିଲେ।
କାର୍ଯ୍ୟକ୍ରମ ରେ ସାହିତ୍ୟିକା ବିଜୟଲକ୍ଷ୍ମୀ ଦାଶ ଅତିଥି ପରିଚୟ, ବିନୟ ନୃସିଂହ ମହାପାତ୍ର ସ୍ୱାଗତ ଅଭିଭାଷଣ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମଦନ ମୋହନ ମହାପାତ୍ର, ବିନୋଦ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ଅତିଥି ମାନେ ଟ୍ରଷ୍ଟର ମୁଖପତ୍ର ଶ୍ରୀଗୁଣ୍ଡିଚା ଓ ନୃସିଂହାନନ୍ଦ ମହାପାତ୍ର ଙ୍କ ରଚିତ ପୁସ୍ତକ ମଣିରତ୍ନମାଳା,ବେଦାନ୍ତସାର ଉନ୍ମୋଚନ କରିଥିଲେ।ପ୍ରାରମ୍ଭରେ ଓଡିଶା ସଂଗୀତ ପରିଷଦର ର ଛାତ୍ରୀ ମାନେ ଗୀତ ଗୋବିନ୍ଦ ପରିବେଷଣ କରିଥିଲେ।ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଜୟନ୍ତୀ ମହାପାତ୍ର, ଭବାନୀ ପ୍ରସାଦ,କୈଳାସ ଚନ୍ଦ୍ର ସାହୁ, ସସ୍ମିତା ମିଶ୍ର, ତୃପ୍ତି ପଣ୍ଡା,ଭାଗବତ ପ୍ରସାଦ ପଟ୍ଟନାୟକ, ନୃସିଂହ ଚରଣ ମହାନ୍ତି, ଗୁରୁ ଚରଣ ଦାସ କାର୍ଯ୍ୟ ପରିଚାଳନା କରିଥିଲେ।ଶେଷରେ ଗୁରୁ ନାରାୟଣ ପାଣ୍ଡେ ଓ ସାଥୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *