ପଶ୍ଚିମା ଝଡ଼ ପ୍ରଭାବ : ଆଜି ୧୭ ଜିଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବିଭିନ୍ନ ଜିଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଏଥିସହ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପବନର ବେଗ ୪୦ରୁ ୫୦କିମି ଛୁଇଁବ। ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଏଣୁ ଏହି ସବୁ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଶନିବାର ଅପରାହ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ସହ ପାଗ ମେଘୁଆ ରହିବ। ୨ ତାରିଖରୁ ରାଜ୍ୟର ପାଗ ଶୁଖିଲା ରହିବ। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ହ୍ରାସ ପାଇବ। ଏହାପରେ ଧୀରେଧୀରେ ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସୂଚନା ଯେ, ଗତ ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା । ଜଗତ୍‌ସିଂହପୁରରେ ସର୍ବାଧିକ ୩୩.୨ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳରେ ୨୮.୬ମିମି, ନୟାଗଡ଼ରେ ୧୩ ମିମି, ଚାନ୍ଦବାଲିରେ ୧୦ ମିମି ଲେଖାଏଁ ବର୍ଷା ହୋଇଛି। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା।

Leave a Reply

Your email address will not be published. Required fields are marked *