କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଆଜି କଂଗ୍ରେସର ବିଧାୟକ ଦଳ ବୈଠକ
ମୁଖ୍ୟମନ୍ତ୍ରୀ ରେସ୍ରେ ସିଦ୍ଧରମୈୟା ଏବଂ ଶିବକୁମାର
ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦମଦାର ବିଜୟ ସହ ପ୍ରତ୍ୟାବରତ୍ତନ କରିଥିବା କଂଗ୍ରେସ, ବିଜେପିକୁ ଦକ୍ଷିଣ ଭାରତର ଏକ ଗଡ଼ରୁ କ୍ଷମତାଚ୍ୟୁତ କରିଛି । କର୍ଣ୍ଣାଟକରେ ଏହି ବିପୁଳ ବିଜୟ ପରେ କଂଗ୍ରେସ ଆଜି ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡକାଇଛି । କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇପାରେ । କାହା ମୁଣ୍ଡରେ ହାଇକମାଣ୍ଡ ସୁନାକଳସ ଢାଳିବେ ତାହା ଉପରେ ସମସ୍ତଙ୍କ ନଜର । ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ରାଜ୍ୟ ପିସିସି ସଭାପତି ଡି. କେ ଶିବକୁମାର ।
କର୍ଣ୍ଣାଟକ ବିଧାନସଭା ନିର୍ରେବରଚ କଂଗ୍ରେସକୁ ମିଳିଛି ବିପୁଳ ବିଜୟ। କର୍ଣ୍ଣାଟକରେ କଂଗ୍ରେସ ୨୨୪ ସିଟ୍ରୁ ୧୩୫ ସିଟ୍ରେ ବିଜୟ ପରେ ଏବେ ସରକାର ଗଢ଼ିବା ଦିଗରେ ଅଗ୍ରସର ହେଉଛି। ମିଳିଥିବା ବିଜୟ ପରେ କଂଗ୍ରେସ ରବିବାର ଏହାର ବିଧାୟକ ଦଳ ବୈଠକ ଡକାଇଛି। ବୈଠକରେ ବିଧାୟକ ଦଳର ନେତାଙ୍କ ବିଷୟରେ ନିଷ୍ପତ୍ତି ହୋଇପାରେ ଏବଂ କିଏ ମୁଖ୍ୟମନ୍ତ୍ରୀ ହେବେ ଏହା ଉପରେ ମୋହର ଲାଗିପାରେ। ମୁଖ୍ୟମନ୍ତ୍ରୀ ପଦ ରେସ୍ରେ ସବୁଠୁ ଆଗରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କେପିସିସି ମୁଖ୍ୟ ଡି.କେ ଶିବକୁମାର।
ତେବେ କୁହାଯାଉଛି ମଧ୍ୟ ପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନରେ ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ହୋଇଥିବା ସ୍ଥିତି ଯେପରି ପୁଣି ଥରେ ନହୁଏ ଏଥିପାଇଁ କଂଗ୍ରେସ ଦୁଇ ନେତାଙ୍କ ମଧ୍ୟରେ ପାଞ୍ଚ ବର୍ଷର କାର୍ଯ୍ୟକାଳକୁ ସମାନ ଭାବରେ ବାଣ୍ଟିବାକୁ ଚେଷ୍ଟା କରିପାରେ। ହୋଇପାରେ ଉଭୟ ନେତାଙ୍କୁ ଅଢ଼େଇ ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ମିଳିପାରେ।
ସୂଚନା ଯେ, ଗତ ଶନିବାର ନିର୍ବାଚନ ଫଳାଫଳ ପରେ ମଧ୍ୟ ସିଦ୍ଧରମୈୟାଙ୍କ ପୁଅ ନିଜ ବାପାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦାବି କରିଥିଲେ। ପରେ ଡିକେ ଶିବକୁମାର ମଧ୍ୟ କହିଥିଲେ ଯେ ବିଜୟରେ ତାଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ସମୟରେ ସେ ଭାବବିହ୍ବଳ ମଧ୍ୟ ହୋଇପଡ଼ିଥିଲେ। କେପିସିସି ମୁଖ୍ୟ ଏହା ମଧ୍ୟ ଦାବି କରିଥିଲେ ଯେ ସେ କଂଗ୍ରେସ ପାଇଁ ଅନେକ ତ୍ୟାଗ କରିଛନ୍ତି। ସୂଚନାଯୋଗ୍ୟ, ସେପଟେ ବିଜେପିକୁ ଏଥର ୬୬ ସିଟ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।