ଶ୍ରମ ଓ ଶ୍ରମିକ

ଶ୍ରମ ଓ ଶ୍ରମିକ
🖊କବିରତ୍ନ ନୂତନ କୁମାର ବେହେରା
ଜୀବନେ ଶତ ଶତ ଯାତନା ସହି
ଶ୍ରମ କରଇ ନିତି ଶ୍ରମିକ ଭାଇ,
ହାଡଭଙ୍ଗା କେତେ ପରିଶ୍ରମ କରି
ପରିବାର ତାର କଷ୍ଟରେ ପାଳଇ।
ଇତିହାସେ ଲେଖା ରହୁ କି ନ ରହୁ
ଅବା ପ୍ରଶଂସା କେହି କେବେ ନ କରୁ,
ଶ୍ରମ ତାର ସେବା ବ୍ରତ ଧ୍ୟାନ ସବୁ
ଶ୍ରମ ଛଡା କିଛି ବୁଝେ ନାହିଁ ଆଉ।
ଦେଶର ପ୍ରଗତି ତାର ମେହନତି
ଜାତିର ଗଠନେ ଦେଇଥାଏ ମତି,
ପେଟ ପାଇଁ ଖଟୁଥାଏ ଦିନରାତି
ଶ୍ରମ କରି ତା’ ଜୀବନ ଯାଏ ବିତି।
ଶ୍ରମ ସାଧନାରେ ତାର ହସଲୁହ
କର୍ମରେ ସେ ବ୍ୟସ୍ତ ଥାଏ ଅହରହ,
ଜରାଜୀର୍ଣ୍ଣ ହେଲେ ହେଉ ତାର ଦେହ
କରି ଚାଲେ ଶ୍ରମ ସହି ଛାତି କୋହ।
ଖରା ବର୍ଷା ଶୀତକୁ ନ ଥାଏ ଡର
ପ୍ରତିରୋଧ ମାନେ ନାହିଁ ସେ କାହାର,
ସଦା ରଖିଥାଏ କାର୍ଯ୍ୟରେ ନଜର
ଦେଶ ଜାତିର ସେ ସାହା ଭରସାର।
ଦୁଃଖେ ରହି ଭୋଗେ ଅନେକ ଦୁର୍ଦ୍ଦଶା
ଅଭାବେ ଷଢି ହୁଏ ସେ ଲୋକହସା,
ପିଲାପିଲି ତାର ପାନ୍ତି ନାହିଁ ଶିକ୍ଷା
ରୋଗରେ ପଡିଲେ ମିଳେନା ଚିକିତ୍ସା।
ଆଖିର ସପନ ସବୁ ତା ଅଧୁରା
ବିପଦ ଆପଦେ ପାଏନା ସାହାରା,
ହନ୍ତସନ୍ତ ହୁଏ ସେ ଜୀବନ ସାରା
ଜୀଇଁ ଥାଏ ସଦା ହୋଇ ଅଧାମରା।
ଶ୍ରମିକ ଭାଇର ନ ହେଲେ ଉନ୍ନତି
ହେବନାହିଁ ଗୁଣାତ୍ମକ ଅଗ୍ରଗତି,
ଗରିବ ରହି ଥିବା ଯାଏଁ ଏ ଜାତି
ସମାଜରେ ବଡ ହୋଇବା କେମିତି ?
ଆଜିର ଶ୍ରମିକ ଦିବସେ ମିନତି
ସଭିଙ୍କର ରହୁ ଶ୍ରଦ୍ଧା ତାଙ୍କ ପ୍ରତି,
ପରସ୍ପର ମଧ୍ୟେ ରଖି ସାମ୍ୟ ମୈତ୍ରୀ
ହୃଦୟେ ଦେଖାଇବା ସହାନୁଭୂତି।
ସାରା ବିଶ୍ଵକୁ ମଣି ଏକ କୁଟୁମ୍ବ
ସମାଜରୁ ଦୂରେଇ ଦେବା ଅଭାବ,
ଏକ ମନେ ପ୍ରାଣେ ରଖି ସଦଭାବ
ଆଶା ଯେତେ ଅଛି କରିବା ସମ୍ଭବ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨