ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ପେଣ୍ଠକଟା କମୁନିଟିହଲ୍ ଠାରେ ବିଶ୍ୱ ମଧୁମେହ ଦିବସ ପାଳିତ
ତାରିଖ : ୧୪/୧୧/୨୦୨୪ପୁରୀ :- ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ପେଣ୍ଠକଟା କମୁନିଟିହଲ୍ ଠାରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଶ୍ୱ ମଧୁମେହ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଡା. ବିନୋଦ ବିହାରୀ ରଥ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ମଧୁମେହ ରୋଗର ପ୍ରକାର ଭେଦ ଓ ଚିକତ୍ସା ସମ୍ୱନ୍ଧରେ ଅବଗତ କରାଇଥିଲେ । ନିୟମିତ ରକ୍ତ ପରୀକ୍ଷା ଓ ମହୁମେହ ଲକ୍ଷଣ ପ୍ରକାଶ ପାଇଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ପାଇଁ କହିଥିଲେ । ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଟି ନାରାୟଣ ରାଓ ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେବା ସହିତ ପରିବର୍ତିତ ଜୀବନ ଶୈଳୀ, ମଦ୍ୟପାନ, ଧୂମପାନ ଇତ୍ୟାଦି ମଧୁମେହ ରୋଗର ମୁଖ୍ୟ କାରଣ ବୋଲି କହିଥିଲେ | ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ଉତ୍ତମ ଜୀବନ ଶୈଳୀକୁ ଆପଣେଇବା ସହିତ ନିୟମିତ ଯୋଗ ଓ ପ୍ରାଣାୟାମ କରିବା, ଦୈନିକ ୩୦ ମିନିଟ୍ କିଛି ଶାରୀରିକ ପରିଶ୍ରମ ଅବା ବ୍ୟାୟାମ କଲେ ଅନେକାଂଶରେ ମଧୁମେହ ରୋଗ ଠାରୁ ନିବୃତ ରହିପାରିବା ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲା ଏ.ଏନ୍.ଏମ୍ ଟ୍ରେନିଂ ସେଣ୍ଟର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା ଏବଂ ପରେ ପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ବେଣୁଧର ନାୟକ,ଆସିଷ୍ଟାଣ୍ଟ ପ୍ରୋଗ୍ରାମ୍ ମ୍ୟାନେଜର ଶ୍ରୀ ସନ୍ଦୀପ ବରଣ ଓଝା, ଏ.ଏନ୍.ଏମ୍ ଟ୍ରେନିଂ ସେଣ୍ଟରର ପ୍ରିନସିପାଲ ଶ୍ରୀମତୀ ନୟନା ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଆସିଷ୍ଟାଣ୍ଟ ମ୍ୟାନେଜର (ଟ୍ରେନିଂ) ମନୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ସହିତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ ।