ବିଦ୍ୟୁତ୍ ଆଘାତରେ ଯୁବକଙ୍କ ଅକାଳ ମୃତ
କୋଣାର୍କ : କୋଣାର୍କ ଥାନା ଅଧିନସ୍ଥ ଜୁଣେଇଁ ଗ୍ରାମର ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଜଣାପଡେକି, ଜୁଣେଇଁ ଗ୍ରାମର ନାରଣ କାଣ୍ଡିଙ୍କ ବଡ଼ ପୁଅ ସୁନାକର କାଣ୍ଡି ଓରଫ ଜୁଳୁକା (୩୦) ସୋମବାର ଅପରାହ୍ନରେ ନିଜ ଘରେ ଏକ ବିଦ୍ୟୁତ୍ ବଲ୍ ଲଗାଉଥିବା ବେଳେ ଅସାବଧାନତା କାରଣରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ବାପା ନାରଣ କାଣ୍ଡି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଏପରି ଏକ ଅଭାବନୀୟ ଘଟଣା ପାଇଁ ସେ ପୁରା ମାନସିକ ସ୍ତରରେ ଭାଙ୍ଗି ପଡିଥିବା ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ କିଛି ସରକାରୀ ସହାୟତା ଯୋଗାଇ ଦେବା ଲାଗି ଜୁଣେଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି । ସୁନାକର ଜଣେ ମେଳାପି ପ୍ରକୃତିର ଯୁବକ ହୋଇଥିବାରୁ ତାଙ୍କର ଏପରି ଅକାଳ ବିୟୋଗରେ ସାରା ଜୁଣେଇଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।